କୃଷି ଋଣ ଛାଡ଼ରେ ହେବ ନାହିଁ କୃଷକଙ୍କ ବିକାଶ: ରଘୁରାମ ରାଜନ

ନୂଆଦିଲ୍ଲୀ,୧୪/୧୨ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଶୁକ୍ରବାର କହିଛନ୍ତି ଯେ ନିର୍ବାଚନ ସମୟରେ କୃଷି ଋଣ ଛାଡ଼ ଘୋଷଣା କରିବା ଉଚିତ୍ ନୁହେଁ। ଏହି ବିଷୟରେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ରାଜନ କହିଛନ୍ତି ଯେ ଏମିତି ପ୍ରସଙ୍ଗ ନିର୍ବାଚନୀ ପ୍ରସଙ୍ଗରେ ସାମିଲ ହେବା ଉଚିତ୍। ରଘୁରାମ ରାଜନ କହିଛନ୍ତି ଯେ କୃଷି ଋଣ ଛାଡ଼ କେବଳ କୃଷି କ୍ଷେତ୍ରକୁ କ୍ଷତି ପହଞ୍ଚାଇବ ତାହା ନୁହେଁ ବରଂ ଏମିତି ଘୋଷଣା କରୁଥିବା ରାଜ୍ୟର ଅର୍ଥ ବ୍ୟବସ୍ଥା ଉପରେ ଏହାର କୁପ୍ରଭାବ ପଡ଼ିବ।

ଗତ ୫ ବର୍ଷରେ ଯେଉଁ ଯେଉଁ ରାଜ୍ୟରେ ନିର୍ବାଚନ ହୋଇଛି, କୌଣସି ନା କୌଣସି ପାର୍ଟି ଦ୍ଵାରା ଋଣ ଛାଡ଼ ଘୋଷଣା କରାଯାଇଛି। ଏହା ସହିତ ଡାଲିର ଦର କମ କରିବା ନେଇ ମଧ୍ୟ ଅନେକ ପାର୍ଟି ନିଜର ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲେ।

ସେ କହିଛନ୍ତି ଯେ ମୁଁ ସର୍ବଦା ଏହି ବିଷୟରେ କହି ଆସିଛି ଏବଂ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଏହି ବିଷୟରେ ଚିଠି ଲେଖିଛି। କୃଷି କ୍ଷେତ୍ରରେ ସଂକଟର କାରଣ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ, ମାତ୍ର ପ୍ରଶ୍ନ ଉଠୁଛି ଯେ କୃଷି ଛାଡ଼ କଲେ କଣ ସେମାନଙ୍କର ବିକାଶ ହେବ ? କାରଣ କୃଷକଙ୍କ ଏକ ଛୋଟ ସମୂହ ହିଁ ଏହି ଧରଣର କୃଷି ଋଣ ନେଇଥାଏ।

ଏନ ଇକୋନୋମିକ୍ ‘ଷ୍ଟ୍ରାଟେଜି ଫର ଇଣ୍ଡିଆ’ ନାମକ ରିପୋର୍ଟ ଜାରି କରି ରାଜନ କହିଛନ୍ତି ଯେ କୃଷି ଋଣ ଛାଡ଼ କରିବାର ଲାଭ କୌଣସି ଗରିବ କୃଷକଙ୍କୁ ନୁହେଁ କେବଳ ଆର୍ଥିକ ରୂପେ ସଶକ୍ତ କୃଷକଙ୍କୁ ହିଁ ମିଳୁଛି। ଅନ୍ୟ ପଟେ କୃଷି ଋଣ ଛାଡ଼ ରାଜ୍ୟର ଅର୍ଥବ୍ୟବସ୍ଥାରେ ଅନେକ ସମସ୍ୟା ସୃଷ୍ଟି କରୁଛି ଏବଂ ଏଥିରେ କୃଷି କ୍ଷେତ୍ରରେ ନିବେଶ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ୁଛି।

ରାଜନ କହିଛନ୍ତି ଯେ ଆମକୁ ଏମିତି ଏକ ମାହୋଲ ତିଆରି କରିବାର ଆବଶ୍ୟକତା ରହିଛି, ଯେଉଁଥିରେ କୃଷକ ସବଳ ହୋଇ ପାରିବେ। ଆଶା କରୁଛି ଯେ ଏହା ଉପରେ ସବୁ ଦଳ ସହମତ ହୋଇ ରାଷ୍ଟ୍ର ହିତ ପାଇଁ କାମ କରିବେ।