ଭୁବନେଶ୍ୱର,୯/୧: କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିବା ପରେ ଗାଁ ଗାଁରେ କାଳିଆ ଯୋଜନାରେ ଆବେଦନ ପାଇଁ ଆବଶ୍ୟକୀୟ ଫର୍ମ ପାଇଁ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏବେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ କାଳିଆ ଯୋଜନାର ଆବେଦନ ତାରିଖ ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
କାଳିଆ ଯୋଜନାରେ ସାମିଲ ହେବା ପାଇଁ ଚାଷୀମାନଙ୍କୁ ପ୍ରଥମେ ସବୁଜ ଫର୍ମରେ ଆବେଦନ କରିବାକୁ ପଡିବ। ଏଥିରେ ନିଜର ସମସ୍ତ ତଥ୍ୟ ଚାଷୀ ଦେବା ସହ କାଳିଆ ଯୋଜନାରେ ନିଜ ନାଁ ସାମିଲ କରିବାକୁ ଆବେଦନ କରିପାରିବେ । ଏଥିରେ ଚାଷୀଙ୍କ ନାଁ ସହିତ ସମସ୍ତ ତଥ୍ୟ ଉଲ୍ଲେଖ କରିବାକୁ ପଡିବ । ଯେପରିକି ପରିବାର ସଦସ୍ୟଙ୍କ ସଂଖ୍ୟା ଠାରୁ ଆରମ୍ଭ କରି ଆଧାର କାର୍ଡ ନମ୍ବର, ଠିକଣା, ବ୍ୟାଙ୍କ ବିବରଣୀ, ଚାଷ ଜମି ବାବଦରେ ସମସ୍ତ ତଥ୍ୟ ଫର୍ମରେ ପୂରଣ କରି ଗ୍ରାମପଞ୍ଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତିରେ ଥିବା ଡ୍ରପ ବକ୍ସରେ ଏହି ଫର୍ମକୁ ପକାଇ ପାରିବେ ।
ଯଦି କୌଣସି ଚାଷୀ ଫର୍ମ ନ ପାଇବା କାରଣରୁ କାଳିଆ ଯୋଜନାରେ ଆବେଦନ କରୁପାରୁ ନାହାନ୍ତି, ତେବେ କାଳିଆ ୱେବସାଇଟ www.kalia.co.iରୁ ଫର୍ମ ଡାଉନଲୋଡ କରି ଏହାକୁ ପୂରଣ କରି ଆବେଦନ କରିପାରିବେ। ଏହାଛଡା ଯଦି କୌଣସି ଚାଷୀଙ୍କ ପାଖରେ କାଳିଆ ଯୋଜନାରେ ଆବେଦନ ପାଇଁ ସବୁଜ ଫର୍ମ ରହିଛି ତାହାକୁ ଜେରକ୍ସ କରି ସମସ୍ତ ତଥ୍ୟ ପୂରଣ କରିବା ପରେ ମଧ୍ୟ ଆବେଦନ କରିପାରିବେ ।