କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୩୦/୫: କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାରରେ ଓଡ଼ିଶାରୁ ପୁଣିଥରେ ୨ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ତେବେ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦି ସରକାରରେ ୨ଥର ଆଦିବାସୀ ବ୍ୟାପାରର କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଜୁଏଲ ଓରାମ ଏଥର ବାଦ୍ ପଡ଼ିଛନ୍ତି। ଓଡ଼ିଶାରେ ବିଜେପିର ଚେହେରା ସାଜିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ଧର୍ମେନ୍ଦ୍ର ଓ ପ୍ରତାପଙ୍କ ମାଧ୍ୟମରେ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଓଡ଼ିଶାରେ କ୍ରମାଗତ ଭାବେ ବିଜେପିର ଭୋଟ ହାର ସହ ସିଟ୍ ସଂଖ୍ୟା ମଧ୍ୟ ବଢ଼ୁଥିବାବେଳେ ଶାସକ ବିଜେଡି ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିଥିବାବେଳେ ଗତ ପଞ୍ଚାୟତ ନିର୍ବାଚନ ଓ ଏବେ ସାଧାରଣ ନିର୍ବାଚନରେ ଦଳ ଆଖିଦୃଶିଆ ପ୍ରଦର୍ଶନ କରିପାରିଛି। ଦଳର ଏହି ପ୍ରଦର୍ଶନ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୁଖ ଭୂମିକା ରହିଥିବା ଚର୍ଚ୍ଚା ହେଉଛି।

ବିଜେପି ଏଥର ସୁଚିନ୍ତିତ ରଣନୀତି ଆଧାରରେ ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ପଦରେ ଆସୀନ କରାଇଛି। ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିସମ୍ପନ୍ନ ଶ୍ରୀ ଷଡ଼ଙ୍ଗୀ ଦୀର୍ଘବର୍ଷ ଧରି ଆରଏଏସର ପ୍ରଚାରକ ଭାବେ କାର୍ଯ୍ୟ କରିବା ସହ ୨୦୦୪ ଓ ୨୦୦୯ରେ ଦୁଇଥର ବିଧାୟକ ମଧ୍ୟ ରହିଛନ୍ତି। ଚଳିତଥର ବାଲେଶ୍ୱରରେ ବିଜେଡି ଓ କଂଗ୍ରେସର ଦୁଇ ହେଭିୱେଟଙ୍କୁ ପରାଜିତ କରି ସେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କର ସରଳ ଓ ନିରାଡ଼ମ୍ବର ଜୀବନଶୈଳୀ ଆଗରେ ବିରୋଧୀ ପ୍ରାର୍ଥୀମାନଙ୍କର ଅର୍ଥବଳ ଓ ବାହୁବଳ ଫେଲ୍ ମାରିଛି।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡ଼ିଶା ଗସ୍ତରେ ଆସିଲେ ଶ୍ରୀ ଷଡ଼ଙ୍ଗୀଙ୍କୁ ଦଳର ‘ସଚ୍ଚା ଓ ପୁରୁଣା ସିପାହୀ’ କହିବାକୁ ପଛାନ୍ତି ନାହିଁ। ନିଜର ସ୍ପଷ୍ଟ ଓ ରୋକଠୋକ୍ କଥା ପାଇଁ ପରିଚିତ ଶ୍ରୀ ଷଡ଼ଙ୍ଗୀଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ କରି ବିଜେପି ଭବିଷ୍ୟତରେ ତାଙ୍କୁ ରାଜ୍ୟରେ ଦଳର ଚେହେରା ଭାବେ ଉପସ୍ଥାପନ କରିବାର ବିକଳ୍ପ ଖୋଲା ରଖିଛି। ଦଳର ରାଜ୍ୟ ସଂଗଠନରେ ଧର୍ମେନ୍ଦ୍ରଙ୍କ ପ୍ରତି ଥିବା ଅସନ୍ତୋଷ ଓ ଉକ୍ତ ଗୋଷ୍ଠୀକୁ ନିଜ ସପକ୍ଷରେ ରଖି ଦଳ ପାଇଁ କାମ କରିବାରେ ଶ୍ରୀ ଷଡ଼ଙ୍ଗୀ ସକ୍ଷମ ହେବେ ବୋଲି ବିଜେପି ନେତୃତ୍ୱ ଅନୁଭବ କରିଥିବା କୁହାଯାଉଛି।

ଓଡ଼ିଶାରେ ଆଉ ପ୍ରାୟ ୨ବର୍ଷ ପରେ ପଞ୍ଚାୟତ ନିର୍ବାଚନ ଓ ୫ବର୍ଷ ପରେ ସାଧାରଣ ନିର୍ବାଚନ ଥିବାରୁ ବିଜେପି ଏବେଠୁ ଓଡ଼ିଶାକୁ ଅଧିକ ସଂଖ୍ୟକ ମନ୍ତ୍ରୀ ପଦ ନଦେଇ ନିକଟ ଭବିଷ୍ୟତରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ମନ୍ତ୍ରିମଣ୍ଡଳରେ ଅଧିକ ପ୍ରତିନିଧିତ୍ୱ ଦେଇଛି। ଅବଶ୍ୟ ଅପରାଜିତା ଷଡ଼ଙ୍ଗୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କେବଳ ଏହି ଦୁଇଜଣଙ୍କୁ ହିଁ ମୋଦିଙ୍କ ଟିମରେ ସାମିଲ କରାଯାଇଛି।

SBI_Festive_Digital Billboard