ଖାରବେଳଙ୍କୁ ଆକ୍ରମଣ ଘଟଣା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୫/୧୧: ରାୟଗଡା ଜିଲ୍ଲାର କାଶିପୁର ଠାରେ ଉତ୍କଳ ଭାରତର ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ହିଂସାତ୍ମକ ଆକ୍ରମଣ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ। ଏହି ଘଟଣାର କାରଣ ଖୋଜିବା ନେଇ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାୟଗଡା ଜିଲ୍ଲା କାଶୀପୁରରେ ଏକ ସଭାମଞ୍ଚରେ ଉତ୍କଳ ଭାରତର ରାଜ୍ୟ ସଭାପତି ଖାରବେଳ ସ୍ୱାଇଁଙ୍କୁ ଜଣେ ଜୈନେକ ଯୁବକ ଆକ୍ରମଣ କରିଥିଲେ। ଯୁବକ ଜଣକ ମଞ୍ଚ ଉପରେ ଏଠାକୁ କାହିଁକି ଆସିଛ ବୋଲି ପଚାରି ଖାରବେଳଙ୍କ ମୁହଁକୁ ଆକ୍ରମଣ କରିଥିଲେ। ଆକ୍ରମଣ ସମୟର ଭିଡିଓକୁ ନିଜର ଫେସବୁକ ପେଜରେ ଖାରବେଳ ସେୟାର କରିବା ପରେ ସଙ୍ଗସଙ୍ଗେ ଏହା ଲୋକଲୋଚନକୁ ଆସିଥିଲା। ବିଜେଡି କର୍ମୀ ଆକ୍ରମଣ କରିଥିବା ସେ ଅଭିଯୋଗ କରିଥିଲେ।
ତେବେ ଏହି ଘଟଣାକୁ ନେଇ ବିରୋଧୀ ବିଜେପି କଂଗ୍ରେସ ଘୋର ନିନ୍ଦା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଖାରବେଳଙ୍କୁ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କୁ ସମାଲଚନା କରିଛନ୍ତି।