ଗଞ୍ଜେଇ ଚାଷକୁ ତଥାଗତଙ୍କ ସମର୍ଥନ, କହିଲେ ଏଥିରେ ରହିଛି ଔଷଧୀୟ ଗୁଣ

ଭୁବନେଶ୍ଵର,୧୯/୧୧: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଗଞ୍ଜେଇ ଚାଷକୁ ନେଇ ଚିନ୍ତାରେ ଥିବା ସରକାର ଏବେ ନିଜେ ଏହି ଚାଷକୁ ଅନୁମୋଦନ ଦେବାକୁ ବିଚାର କରୁଥିବା ଜଣା ପଡ଼ୁଛି। ଏହା ମଧ୍ୟରେ ପୂର୍ବତନ ସାଂସଦ ତଥାଗତ ଶତପଥୀ ଓଡ଼ିଶାରେ ଗଞ୍ଜେଇ ଚାଷକୁ ସମର୍ଥନ କରିଛନ୍ତି। ଗଞ୍ଜେଇର ଅନେକ ଲାଭଦାୟକ ଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗଞ୍ଜେଇ ଚାଷକୁ ବିଧିବଦ୍ଧ ସୀକୃତି ଦିଆଯିବ ନା ନାହିଁ ସେ ନେଇ ବିଚାର ବିମର୍ଶ ପାଇଁ ରାଜ୍ୟ ସରକାରଙ୍କ ଯୁଗ୍ମ ନିର୍ଦ୍ଦେଶକ ଏସବିକେ ପ୍ରଧାନ ଅବକାରୀ କମିଶନରଙ୍କୁ ଚିଠି ଲେଖିଛନ୍ତି।

ଗଞ୍ଜେଇର ଅନେକ ଲାଭଦାୟକ ଦିଗ ରହିଥିବା କହି ତଥାଗତ କହିଛନ୍ତି ଯେ, କ୍ୟାନସର, ଶ୍ଵାସ ରୋଗ ପାଇଁ ଗଞ୍ଜେଇରୁ ଔଷଧ ତିଆରି ହୁଏ। ତେବେ ଗଞ୍ଜେଇ ଚାଷର ଆଇନକରଣ ସପକ୍ଷରେ ମୁଁ ନୁହେଁ। ଗଞ୍ଜେଇ ଚାଷକୁ ଡିକ୍ରିମିନାଲାଇଜେସନ କରାଯିବା ଦରକାର। ଅନ୍ୟ ଚାଷ ଅପେକ୍ଷା ଗଞ୍ଜେଇ ଚାଷ ସହଜ, କାରଣ ଏଥିରେ ବେଶି ପାଣି, ଖତ, ସାର ଦରକାର ପଡ଼େନି। କ୍ଷୁଦ୍ରଚାଷୀ ଏହାକୁ ଚାଷ କରି ବିଶେଷ ଲାଭବାନ ହୋଇପାରିବେ। ତେଣୁ ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ଦରକାର।

ତଥାଗତ ଉତ୍ତରାଖଣ୍ଡ ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେଇଥିବା କହିଛନ୍ତି। ମାତ୍ର ଓଡ଼ିଶା ସରକାର ଏହାକୁ ମନା କରିବା ସଂପୂର୍ଣ୍ଣ ଦୂରଦୃଷ୍ଟିହୀନତ ହେବ। ଆଇନରେ ସଂଶୋଧନ ଆଣି ଗଞ୍ଜେଇ ଚାଷଖୁ ଅନୁମତି ଦେବା ଉଚିତ୍।

ଉଲ୍ଲେଖଯୋଗ୍ୟ, ଗଞ୍ଜେଇ ଚାଷକୁ ବିଧିବଦ୍ଧ ସୀକୃତି ଦିଆଯିବ ନା ନାହିଁ ସେ ନେଇ ମଙ୍ଗଳବାର ଲୋକସେବା ଭବନରେ ବୈଠକ ହେବାକୁ ଯାଉଛି। ବୈଠକରେ ଅବକାରୀ କମିଶନରଙ୍କ ସହିତ ଖୋର୍ଦ୍ଧା ଓ ବ୍ରହ୍ମପୁରର ଅବକାରୀ ନିରୀକ୍ଷକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଔଷଧୀୟ ଉପଯୋଗ ନିମନ୍ତେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବା ଉପରେ ବିଚାରବିମର୍ଶ ହେବ।