ଗୁପ୍ତ ବିବାହ କଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

ଲଣ୍ଡନ୍‌: ଶନିବାର ଦିନ ୱେଷ୍ଟ୍‌ମିନ୍‌ଷ୍ଟର୍‌ କ୍ୟାଥେଡ୍ରାଲ୍‌ରେ ଗୁପ୍ତ ଉତ୍ସବ ଆୟୋଜନ କରି ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କେରି ସାଇମଣ୍ଡ୍‌ଙ୍କୁ ବିବାହ କରିଥିବା କଥା ରବିବାର ଦିନ ‘ଦି ସନ୍‌’ ଏବଂ ‘ମେଲ୍‌’ ଖବରକାଗଜ ରିପୋର୍ଟ କରିଛନ୍ତି। କିନ୍ତୁ, ଏହି ରିପୋର୍ଟ ଉପରେ ମନ୍ତବ୍ୟ ଦେବାକୁ ଜନ୍‌ସନ୍‌ଙ୍କ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ ଅଫିସ୍‌ର ଜଣେ ମୁଖପାତ୍ରୀ ମନା କରି ଦେଇଛନ୍ତି।

କେନ୍ଦ୍ରୀୟ ଲଣ୍ଡନ୍‌ରେ ଅନୁଷ୍ଠିତ ଏହି ଉତ୍ସବର ଶେଷ ମୁହୂର୍ତ୍ତରେ ଅତିଥିମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏହି ବିବାହ ଅନୁଷ୍ଠାନ ଆୟୋଜନ ସମ୍ପର୍କରେ ଜନ୍‌ସନ୍‌ଙ୍କ କାର୍ଯ୍ୟାଳୟର ବରିଷ୍ଠ ସଦସ୍ୟମାନେ ମଧ୍ୟ ଟେର୍‌ ପାଇ ନ ଥିଲେ। ସୂଚନାଯୋଗ୍ୟ, କୋଭିଡ୍‌-୧୯ କଟକଣା ଯୋଗୁଁ ସମ୍ପ୍ରତି ଇଂଲଣ୍ଡ୍‌ରେ ବିବାହ ଅନୁଷ୍ଠାନରେ ‌ମାତ୍ର ୩୦ଜଣଙ୍କୁ ଯୋଗ ଦେବା ଲାଗି ଅନୁମତି ମିଳୁଛି। ଉଭୟ ଖବରକାଗଜ ରିପୋର୍ଟ କରିଛନ୍ତି ଯେ, ରାତି ୧.୩୦ରେ କ୍ୟାଥୋଲିକ୍‌ କ୍ୟାଥେଡ୍ରାଲ୍‌ ହଠାତ୍ ବନ୍ଦ କରିଦିଆଗଲା। ଏହାର ୩୦ ମିନିଟ୍‌ ବାଦ ଓଢ଼ଣି ନ ଥିବା ଲମ୍ବା ଧଳା ପୋଷାକ ପିନ୍ଧି ଗୋଟାଏ ଲିମୋରେ ୩୩ ବର୍ଷୀୟ ସାଇମଣ୍ଡ୍‌ ପହଞ୍ଚିଥିଲେ।

୨୦୧୯ରେ ୫୬ ବର୍ଷିୟ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ହେବା ଦିନରୁ ଉଭୟ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରେ ଏକତ୍ର ରହି ଆସୁଛନ୍ତି। ସେମାନଙ୍କର ନିର୍ବନ୍ଧ ହୋଇଥିବା କଥା ଏବଂ ତାଙ୍କର ପିଲା ହେବ ବୋଲି ଗତବର୍ଷ ଘୋଷଣା କରିଥିଲେ। ଏବଂ ୨୦୨୦ ଏପ୍ରିଲ୍‌ର ତାଙ୍କ ପୁତ୍ର ୱିଲ୍‌ଫ୍ରେଡ୍‌ ଲରି ନିକୋଲାସ୍‌ ଜନ୍‌ସନ୍‌ ଜନ୍ମ ହୋଇଥିଲା।