ଚେନ୍ନାଇର ରୋମାଞ୍ଚକ ବିଜୟ

ଜୟପୁର, ୧୨/୪: ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଅମ୍ବାତି ରାୟୁଡ଼ୁଙ୍କ ୯୫ ରନର ଭାଗୀଦାରି ଏବଂ ମିଚେଲ ସାଣ୍ଟନରଙ୍କ ଶେଷ ବଲ୍‌ ଛକା ସହାୟତାରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁରୁବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି। ଧୋନୀଙ୍କ ଦଳ ରାଜସ୍ଥାନ ରୟାଲ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୧୫୨ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଚେନ୍ନାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୫୫ ରନ ସଂଗ୍ରହ କରି ନେଇଛି।

ବଡ଼ ବିଜୟ ଲକ୍ଷ୍ୟ ନ ଥିଲେ ହେଁ ସୁପର କିଙ୍ଗ୍ସ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଓପନର ଶେନ ଓ୍ବାଟସନ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିବାବେଳେ ସୁରେଶ ରାଇନା ୪ ରନ କରି ରନଆଉଟ ହୋଇ ଯାଇଥିଲେ। ଫାଫ୍‌ ଡୁ ପ୍ଲେସି ୭ ଓ କେଦାର ଯାଦବ ୧ ରନ କରି ଆଉଟ ହେବାରୁ ୨୪ ରନ ମଧ୍ୟରେ ଚେନ୍ନାଇ ଟପ୍‌ ଅର୍ଡରର ୪ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିଜକୁ ଆସିବାପରେ ସ୍ଥିତି ବଦଳିଥିଲା। ଅମ୍ବାତି ରାୟୁଡ଼ୁ ଓ ଧୋନୀ ଆତ୍ମ ବିଶ୍ୱାସର ସହ ବ୍ୟାଟିଂ କରି ଦଳକୁ ଚାପରୁ ମୁକୁଳାଇଥିଲେ। ଦୁହେଁ ୫ମ ଉଇକେଟରେ ୯୫ ରନର ଭାଗୀଦାରି ଗଢ଼ିଥିଲେ। ଦଳୀୟ ସ୍କୋର ୧୧୯ରେ ପହଞ୍ଚତ୍ବାପରେ ରାୟୁଡ଼ୁ ୪୭ ବଲ୍‌ରୁ ୨ ଚୌକା ଓ ୩ ଛକା ସହାୟତାରେ ୫୭ ରନ କରି ଆଉଟ ହୋଇଥିଲେ। ୧୮ତମ ଓଭରର ୪ର୍ଥ ବଲ୍‌ରେ ରାୟୁଡ଼ୁଙ୍କୁ ଆଉଟ କରି ବେନ୍‌ ଷ୍ଟୋକ୍ସ ଏହି ଯୋଡ଼ି ଭାଙ୍ଗିିଥିଲେ। ୧୯ତମ ଓଭରରୁ ଧୋନୀ ଓ ରବୀନ୍ଦ୍ର ଜାଡେଜା ୧୨ ରନ ସଂଗ୍ରହ କରିବାରୁ ଶେଷ ଓଭରରୁ ବିଜୟ ପାଇଁ ୧୮ ରନ ଆବଶ୍ୟକ ହେଉଥିଲା। ଅନ୍ତିମ ଓଭର ବୋଲିଂ କରିବାକୁ ଆସିଥିବା ଷ୍ଟୋକ୍ସଙ୍କ ପ୍ରଥମ ବଲ୍‌କୁ ଛକାରେ ପରିଣତ କରି ମ୍ୟାଚରେ ରୋମାଞ୍ଚ ଭରିଥିଲେ ଜାଡେଜା। ଦ୍ୱିତୀୟ ବଲ୍‌ଟି ନୋ ପଡ଼ିଥିବାବେଳେ ପରବର୍ତ୍ତୀ ବଲ୍‌ରୁ ୨ ରନ ସଂଗ୍ରହ କରିଥିଲେ ଧୋନୀ। ୩ୟ ବଲ୍‌ରେ ଧୋନୀଙ୍କୁ କ୍ଲିନ୍‌ ବୋଲ୍ଡ କରି ଚେନ୍ନାଇ ସମର୍ଥକଙ୍କୁ ସ୍ତବ୍ଧ କରିଦେଇଥିଲେ ଷ୍ଟୋକ୍ସ। ୪୩ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଧୋନୀ ୨ ଚୌକା ଓ ୩ ଛକା ସହାୟତାରେ ୫୮ ରନ ସ୍କୋର କରିଥିଲେ। ୪ର୍ଥ ଓ ୫ମ ବଲ୍‌ରୁ ସାଣ୍ଟନର ୨ ରନ ଲେଖାଏ ସଂଗ୍ରହ କରିବାରୁ ଶେଷ ବଲ୍‌ରୁ ବିଜୟ ପାଇଁ ୪ ରନ ଆବଶ୍ୟକ ହେଉଥିଲା। ମାତ୍ର ଏହାକୁ ଓ୍ବାଇଡ୍‌ ପକାଇଥିଲେ ଷ୍ଟୋକ୍ସ। ଚାପକୁ ନ ଆସି ଅନ୍ତିମ ବଲ୍‌କୁ ଛକାରେ ପରିଣତ କରି ମ୍ୟାଚର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ ସାଣ୍ଟନର। ଜାଡେଜା ୪ ବଲ୍‌ରୁ ୯ ଓ ସାଣ୍ଟନର ୩ ବଲ୍‌ରୁ ୧୦ ରନକରି ଅପରାଜିତ ରହିଥିଲେ। ରାଜସ୍ଥାନ ପକ୍ଷରୁ ଷ୍ଟୋକ୍ସ ୨ଟି ଏବଂ ଧାଓ୍ବଲ କୁଲକର୍ନୀ, ଜୟଦେବ ଉନାଡ଼କଟ ଓ ଜୋଫ୍ରା ଆର୍ଚେର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ପ୍ରଥମେ ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦଳ ଭଲ ଆରମ୍ଭ କରିଥିଲେ ହେଁ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବାରୁ ବଡ଼ ସ୍କୋର କରିପାରି ନ ଥିଲା। ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଜୋସ ବଟଲର ଓପନିଂ ଯୋଡ଼ିରେ ୧୭ ବଲ୍‌ରୁ ୩୧ ରନ ସଂଗ୍ରହ କରିଥିଲେ। ଖରାପ ଫର୍ମଦେଇ ଗତି କରୁଥିବା ରାହାନେ ୧୧ ବଲ୍‌ରୁ ୧୪(୩ ଚୌକା) ରନ କରି ଆଉଟ ହୋଇଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ବଟଲର ୧୦ ବଲ୍‌ରୁ ୪ ଚୌକା ଓ ୧ ଛକା ସହାୟତାରେ ୨୩ ରନ କରିଥିବାବେଳେ ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ଅମ୍ବାତି ରାୟୁଡ଼ୁଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଯୁବ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ୬, ଅଭିଜ୍ଞ ଷ୍ଟିଭେନ ସ୍ମିଥ ୧୫ ଓ ରାହୁଲ ତ୍ରିପାଠୀ ୧୦ ରନ କରି ଆଉଟ ହେବାରୁ ରାଜସ୍ଥାନ ଇନିଂସ ୧୦.୫ ଓଭରରେ ୭୮/୫ ହୋଇ ଯାଇଥିଲା। ଲୋୟର ଅର୍ଡରରେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ବେନ୍‌ ଷ୍ଟୋକ୍ସ ୨୬ ବଲ୍‌ରୁ ୨୮, ରିୟାନ ପାରଗ ୧୪ ବଲ୍‌ରୁ ୧୬ ରନ କରି ଆଉଟ ହୋଇଥିବାବେଳେ ଜୋଫ୍ରା ଆର୍ଚେର ୧୨ ବଲ୍‌ରୁ ୧୩ ଓ ଶ୍ରେୟାସ ଗୋପାଳ ମାତ୍ର ୭ ବଲ୍‌ରୁ ଦ୍ରୁତ ୧୯(୨ ଚୌକା, ୧ ଛକା) ରନ ସଂଗ୍ରହ କରିବାରୁ ରାଜସ୍ଥାନ ସ୍କୋର ୧୫୦ ଅତିକ୍ରମ କରିଥିଲା। ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୨୦ ରନ ଦେଇ ୨ଟି ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପକ ଚହର ଓ ଶାର୍ଦ୍ଦୁଳ ଠାକୁର ୨ଟି ଲେଖାଏ ଏବଂ ମିଚେଲ ସାଣ୍ଟନର ଗୋଟିଏ ଉଇକେଟ ନେଇଥିଲେ।