ଚୌକିଦାର ଶେର୍ ହେ : ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରାପଡା,୨୮/୨: ଯେଉଁମାନେ ଚୌକିଦାରର କ୍ଷମତା ଉପରେ ପ୍ରଶ୍ନ ଉଠାଉଥିଲେ, ସେମାନଙ୍କୁ ଆଜି ଚୌକିଦାର ସେର୍ ହେ ବୋଲି ସ୍ୱୀକାର କରିବାକୁ ପଡିବ ବୋଲି କେନ୍ଦ୍ରାପଡାର ଡେରାବିଶ ଠାରେ “ମୋ ବୁଥ ସବୁଠୁ ମଜଭୁତ” କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିକାଶକୁ ଭାରତର ସବୁ ଘରକୁ ପହଁଚାଇବାର ଅଛି । ସେଥିପାଇଁ ଭାରତୀୟ ଜନତାପାର୍ଟିର କାର୍ଯ୍ୟକର୍ତା ମାନଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦେଶ ଏକ ଅଶୋଭନୀୟ ସ୍ଥିତିରେ ଗତି କରୁଛି । ଗତ ୧୪ ଫେବୃୟାରୀରେ କାପୁରୁଷ, ଭୀରୁ, ସାମ୍ନାରେ ଲଢେଇ କରିବାର ସାମର୍ଥ୍ୟ ନଥିବା ଲୋକ ଭାରତର ସୈନିକ ଶକ୍ତିକୁ ପଛରୁ ଛୁରା ମାରିଥିଲେ । ସିଆରପିଏଫର ୪୦ ଜଣ ଯବାନଙ୍କୁ ପଛରୁ ଆକ୍ରମଣ କରି ଇହଧାମରୁ ଯିବା ପାଇଁ ବାଧ୍ୟ କରିଥିଲେ । ଶହୀଦଙ୍କ ମଧ୍ୟରେ ଓଡିଶାର ଦୁଇ ଜଣ ଭାଇ ଥିଲେ । ଶହୀଦ ମନୋଜ ବେହେରା ଓ ଶହୀଦ ପ୍ରସନ୍ନ ସାହୁ ଦୁଇ ଜଣଙ୍କ ପାଇଁ ମନରେ କଷ୍ଟରେ ଅଛି । ଉଭୟଙ୍କ ବଳିଦାନକୁ ନେଇ ଓଡିଶା ଆଜି ଗର୍ବ ଓ ସ୍ୱାଭିମାନରେ ଛିଡା ହୋଇଛି । ଭାରତମାତାର ବଳିଦାନ ପାଇଁ ଓଡିଶା ମଧ୍ୟ ପଛରେ ନାହିଁ । ଓଡିଶାର ଦୁଇ ଭାଇ ତାଙ୍କ ଜୀବନକୁ ବଳିଦାନ ଦେଇ ଭାରତ ମାତାର ସେବା ପାଇଁ ନିଜକୁ ସମର୍ପିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପାକିସ୍ତାନକୁ ଜବାବ୍ ଦେବା ସହ ଧୂଳି ଚଟେଇବାକୁ ପଡିବ । ଦେଶର ସୈନିକମାନଙ୍କ ପାଖରେ ଦେଶର ଭରସା ଅଛି । ପାକିସ୍ତାନକୁ କଣ ଜବାବ୍ ଦିଆଯିବ ତାହାର ନିର୍ଣ୍ଣୟ ଦେଶର ସୈନିକ ଶକ୍ତି କରିବ ବୋଲି ମୋଦି ଆଦେଶ ଦେଲେ । ମାତ୍ର କିଛି ଲୋକ ୫୬ ଇଂଚି ଛାତି କୁଆଡେ ଗଲା, ମୋଦି କାହିଁକି ଚୁପ ଅଛି ବୋଲି ଟାହିଟାପୁରା କରୁଥିଲେ । ୧୫ ଦିନ ନହେଉଣୁ ପ୍ରଥମ ଥର ପାଇଁ ଭାରତର ସୈନିକ ମାନେ ୭୦ ଦଶକର ଯୁଦ୍ଧ ପରେ ପାକିସ୍ତାନ ଭିତରେ ପଶି ସାଢେ ୩୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ଧୂଳିସାତ୍ କରି ଆସିଲେ ।

ଯେଉଁମାନେ ମୋଦିଙ୍କ ୫୬ ଇଂଚି ଛାତି ଉପରେ ପ୍ରଶ୍ନ ପଚାରୁଥିଲେ , ସେମାନେ ଭାରତୀୟ ବାୟୁ ସେନାକୁ ପ୍ରଂଶସା କଲେ । ମାତ୍ର ଭାରତୀୟ ବାୟୁ ସେନା ମୋଦିଙ୍କ ପ୍ରଶଂସା କଲେ । ଗତକାଲି ପାକିସ୍ତାନ ପୁନର୍ବାର ଅପଚେଷ୍ଟା କରିଥିବା ସତ୍ୱେ ପାକିସ୍ତାନର ଲଢୁଆ ବିମାନ ଏ -୧୬କୁ ଭାରତ ମାରି ଖସେଇଦେଲା । ଭାରତର ଜଣେ ପାଇଲଟକୁ ପାକିସ୍ତାନ କାବୁ କରି ରଖିଛି । ଭାରତର ସୈନିକଙ୍କ ସାଙ୍ଗେ ଦେଶ ଆଜି ଏକାଠି ହୋଇଛି । ଅନ୍ତରାଷ୍ଟ୍ରୀୟ ଚୁକ୍ତି ଅନୁସାରେ ଅପହରଣ ହୋଇଥିବା ଭାରତୀୟ ପାଇଲଟ ଦେଶକୁ ଫେରିବେ । ଦେଶ ଆଜି ଗର୍ବିତ ହୋଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।