ରାୟପୁର, ୧୧/୧୨: ଛତିଶଗଡ଼ରେ ୧୫ ବର୍ଷର ଦୀର୍ଘ ବ୍ୟବଧାନ ପରେ କ୍ଷମତାକୁ ଫେରୁଛି କଂଗ୍ରେସ। ଏ ପର୍ଯ୍ୟନ୍ତ ଥିବା ଟ୍ରେଣ୍ଡ ମୁତାବକ କଂଗ୍ରେସ ୯୦ଟିରୁ ପ୍ରାୟ ୬୮ଟି ସିଟରେ ଆଗୁଆ ରହିଛି ଏବଂ ମାତ୍ର ୧୭ ସିଟକୁ ବିଜେପି ଖସି ଆସିବା ଦେଖା ଦେଇଛି। ଏ ପର୍ଯ୍ୟନ୍ତ ଫଳାଫଳର ଅାନୁଷ୍ଠାନିକ ଘୋଷଣା ଭୋଟର ପରିମାଣ ସାମ୍ନାକୁ ଆସିନାହିଁ ମାତ୍ର କଂଗ୍ରେସର ଅଗ୍ରଣୀକୁ ଦେଖିଲେ ଏହା ସ୍ଥିର ହୋଇ ସାରିଛି ଯେ ୨୦୦୩ ପରେ ପୁଣି ଥରେ କଂଗ୍ରେସ କ୍ଷମତାସୀନ ହେବାକୁ ଯାଉଛି।
ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଚେହେରାରୁ ନେଇ ବିଜେପି ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ବିନା ଚେହେରା ମଇଦାନକୁ ଓହ୍ଲାଇଥିଲା। ଏବେ କଂଗ୍ରେସ ପକ୍ଷରୁ ଚାର ପ୍ରମୁଖ ନାମ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ସାମ୍ନାକୁ ଆସିଛି।
ଛତିଶଗଡ଼ରେ ଟିଏସ ବାବା ନାମରେ ପ୍ରସିଦ୍ଧ ତ୍ରିଭୁନେଶ୍ଵର ଶରଣ ସିଂହ ଦେବ ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳର ନେତା ଅଛନ୍ତି। ଛତିଶଗଡ଼ରେ ସବୁଠୁ ଧନୀ ପ୍ରାର୍ଥୀ ରୂପେ ଖ୍ୟାତି ହାସଲ କରିଥିବା ଟିଏସ ସିଂହ ଦେବ ସରଗୁଜାଙ୍କ ରାଜ ପରିବାରରୁ ଆସିଛନ୍ତି। ସେ ଅମ୍ବିକାପୁର ସିଟରୁ ନିର୍ବାଚନ ମଇଦାନରେ ଅଛନ୍ତି। ୨୦୧୩ରେ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଟିଏସ ସିଂହ ଦେବ ୧୩ ହଜାର ଭୋଟରେ ବିଜେପିର ଅନୁରାଗ ସିଂହଦେବଙ୍କୁ ପରାସ୍ତ କରିଛନ୍ତି।
କଂଗ୍ରେସର ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଚରଣଦାସ ମହନ୍ତ ସକ୍ତି ବିଧାନସଭା ସିଟରୁ ମଇଦାନକୁ ଓହ୍ଲାଇଛନ୍ତି। ଚରଣଦାସକୁ ମଧ୍ୟ କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାର କୁହାଯାଉଛି। ମହନ୍ତଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ମେଘାରାମ ସାହୁ ମଇଦାନରେ ଅଛନ୍ତି। ୨୦୦୮ରେ ଏହି ସିଟ୍ କଂଗ୍ରେସ ପାଖରେ ଥିଲା। ମାତ୍ର ୨୦୧୩ରେ ଏହି ସିଟକୁ ବିଜେପି କଜବା କରିଥିଲା।
ଭୂପେଶ ବାଘେଲ ଛତିଶଗଡ଼ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଓ ରାଜ୍ୟର ବରିଷ୍ଠ ନେତା ରୂପେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ବିବାଦ ସହିତ ତାଙ୍କର ନାମ ମଧ୍ୟ ଯୋଡି ହୋଇଛି। ମାତ୍ର କଂଗ୍ରେସର ପ୍ରତ୍ୟାବର୍ତ୍ତନରେ ତାଙ୍କର ବହୁତ ବଡ଼ ଯୋଗଦାନ ରହିଛି। ଏମିତିରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସେ ଅଛନ୍ତି। ବାଘେଲ ପାଟନ ସିଟରୁ ବର୍ତ୍ତମାନର ବିଧାୟକ ଅଛନ୍ତି।
ଛତିଶଗଡ଼ରୁ କଂଗ୍ରେସର ଏକ ମାତ୍ର ସାଂସଦ ତଥା ପାର୍ଟିର ଓବିସି ଚେହେରା ହେଉଛନ୍ତି ତାମ୍ରଧ୍ଵଜ ସାହୁ। କଂଗ୍ରେସରେ ଦଳୀୟ କନ୍ଦଳ ଏବଂ ଟଣା ଓଟରା ପରେ କଂଗ୍ରେସ ହାଇକମାଣ୍ଡ ଶ୍ରୀ ସାହୁଙ୍କୁ ମଇଦାନକୁକ ଓହ୍ଲାଇଛି। ତେବେ ସାହୁଙ୍କୁ ନିର୍ବାଚନକୁ ଓହ୍ଲାଇବା ପଛର କାରଣ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚେହେରା କରାଯିବ ବୋଲି କୁହାଯାଉଛି। ତେଣୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ମଧ୍ୟ ତାଙ୍କର ନାମ ରହିଛି। ବର୍ତ୍ତମାନ ସେ ଦୁର୍ଗ ଗ୍ରାମୀଣ ସିଟରେ ଆଗୁଆ ରହିଛନ୍ତି।