ଜଗତସିଂହପୁର ବିଜେଡି କଳି : ଦୁଇ ଗୋଷ୍ଠୀ ପିଟା ପିଟି

ଜଗତସିଂହପୁର,୬/୫: ପ୍ରଥମେ ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ବିଜେଡିରୁ ଅନେକ ନେତା, ବିଧାୟକ, ସାଂସଦ ଦଳ ଛାଡ଼ିଥିବା ବେଳେ ଏବେ ଦଳରେ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ବାଡାବାଡ଼ି ହେବା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣା ଜଗତସିଂହପୁର ଜିଲ୍ଲା ବିଜେଡିରେ ଦେଖିବାକୁ ମିଳିଛି। ଆଜି ଜଗତସିଂହପୁର ନାଉଁଗାଁରେ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ବାଇକ ରାଲିରେ ଯାଉଥିବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ରଣକ୍ଷେତ୍ରରେ ପରିଣତ ହୋଇଥିଲା ନାଉଁଗାଁ ମୁଣ୍ଡାଳ ଛକ। ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦେଖି ସୁରକ୍ଷାକର୍ମୀ ମୁତୟନ କରାଯାଇଛି।

ସୂଚନା ମୁତାବକ, ଜଗତସିଂହପୁର ନାଉଁଗାଁ ମୁଣ୍ଡାଳ ଛକରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ବାଇକ ରାଲିରେ ଯାଉଥିବା ବେଳେ ଅପର ପକ୍ଷରୁ ବାଧା ସୃଷ୍ଟି ହୋଇଥିଲା । ଟିକେଟରୁ ବଞ୍ଚିତ ହୋଇଥିବା ଅମରେନ୍ଦ୍ର ଦାଶଙ୍କ ସମର୍ଥକ ଉକ୍ତ ସ୍ଥାନରେ ପ୍ରଶାନ୍ତ ମୁଦୁଲି ବାଇକ ରାଲିକୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଅମରେନ୍ଦ୍ରଙ୍କ ସମର୍ଥକ ପ୍ରଶାନ୍ତ ମୁଦୁଲିଙ୍କୁ କଳା ପତାକା ପ୍ରଦର୍ଶନ କରିବା ସହିତ ବାଟ ଓଗାଳିଥିଲେ।

ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା ଏବଂ ପରେ କଥା ମାରପିଟ୍ ପର୍ଯ୍ୟନ୍ତ ଯାଇଥିଲା। ଠେଙ୍ଗା ବାଡ଼ି ଧରି ପରସ୍ପର ମଧ୍ୟରେ ମାରପିଟ୍ ହୋଇଛନ୍ତି ପ୍ରଶାନ୍ତ ମୁଦୁଲି ଓ ଅମରେନ୍ଦ୍ରଙ୍କ ସମର୍ଥକ। କେବଳ ଏତିକି ନୁହେଁ ଦୁଇ ଗୋଷ୍ଠୀର ସମର୍ଥକ ଦୌଡ଼ି ଦୌଡ଼ି ପରସ୍ପରକୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। କିଛି ସମୟ ପାଇଁ ଜଗତସିଂହପୁର ନାଉଁଗାଁ ମୁଣ୍ଡାଳ ଛକ ରଣକ୍ଷେତ୍ରରେ ପରିଣତ ହୋଇଥିଲା।