ନୂଆଦିଲ୍ଲୀ,୧୩/୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ମଧ୍ୟରେ ଏବେ ବାକ୍ ଯୁଦ୍ଧ ଚାଲିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟପାଳ ଦେଇଥିବା ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି । ଏହି ଆଳରେ ସେ ରାଜ୍ୟପାଳଙ୍କୁ କଡ଼ା ଜବାବ ଦେଇଛନ୍ତି । ଘାଟିକୁ ଯିବାକୁ ସ୍ୱତନ୍ତ୍ର ବିମାନ ବଦଳରେ ସେଠାରେ ବୁଲିବାକୁ ଓ ସାଧାରଣ ଲୋକଙ୍କ ସହିତ କଥା ହେବାକୁ ଅନୁମତି ମାଗିଛନ୍ତି ରାହୁଲ ।
ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, ଆଦରଣୀୟ ରାଜ୍ୟପାଳଙ୍କ ନିମନ୍ତ୍ରଣ ରକ୍ଷା କରି ବିରୋଧୀ ଦଳର ନେତାମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ନିଶ୍ଚିତ ଯିବେ । ଏଥିପାଇଁ ବିମାନ ଦରକାର ନାହିଁ । ସେଠାକୁ ଯିବାକୁ ଏବଂ ଲୋକଙ୍କ ସହିତ ସାକ୍ଷାତ କରିବାକୁ ସ୍ୱତନ୍ତ୍ରତା ଦିଅନ୍ତୁ ବୋଲି କହିଛନ୍ତି । ଏତଦ୍ବ୍ୟତୀତ ସେଠାରେ ମୁଖ୍ୟଧାରାର ନେତା ଓ ମୁତୟନ ସୈନିକଙ୍କ ସହିତ ଦେଖା କରିବାକୁ ସୁନିଶ୍ଚିତ କରନ୍ତୁ ବୋଲି ସେ ଟ୍ୱିଟର୍ରେ ଉଲ୍ଲେଖ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଶନିବାର ରାହୁଲ ଗାନ୍ଧୀ କହିଥିଲେ ଯେ ଘାଟିରେ ହିଂସା ହେଉଥିବାର ଖବର ରହିଛି । ଏହାର ଜବାବରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରାହୁଲ ଗାନ୍ଧୀଙ୍କୁ ଜାମ୍ମୁ ଓ କାଶ୍ମୀର ଆସି ସ୍ଥିତି ପରଖି ଯିବାକୁ କହିଥିଲେ । ଏଥିପାଇଁ ସେ ତାଙ୍କ ପାଖକୁ ଏକ ସ୍ୱତନ୍ତ୍ର ବିମାନ ପଠାଇବେ ବୋଲି ରାଜ୍ୟପାଳ କହିଛନ୍ତି ।