ଜାମ୍ମୁ-କାଶ୍ମୀର : ଗାର୍ଡ ପୋଷ୍ଟ ଉପରେ ଆତଙ୍କୀ ଆକ୍ରମଣ, ୩ ପୋଲିସ୍‌ କର୍ମୀ ସହୀଦ

ଜାମ୍ମୁ-କାଶ୍ମୀର, ୧୧/୧୨: ଜାମ୍ମୁ-କାଶ୍ମୀରର ସୋପିଆ ଜିଲ୍ଲା ଅନ୍ତର୍ଗତ ଜୈନପୋରାସ୍ଥିତ ଏକ ଗାର୍ଡ ପୋଷ୍ଟ ଉପରେ ଆଜି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ୩ ଜଣ ପୋଲିସ କର୍ମୀ ସହୀଦ ହୋଇଥିବା ବେଳେ ଜଣେ ଗୁରୁତର ଭାବରେ ଆହାତ ହୋଇଥିବା ସୂଚନା ମିଳିଛି । ଏକ ଆବାସିକ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଏହି ପୁଲିସ୍‌ କର୍ମଚାରୀମାନେ ନିୟୋଜିତ ଥିଲେ । ତେବେ କିଛି ସମୟ ପାଇଁ ଏହି କର୍ମୀମାନେ ଗାର୍ଡ ପୋଷ୍ଟ ଭିତକୁ ଯାଇଥିଲେ । ଏହି ସମୟରେ ଆତଙ୍କବାଦୀମାନେ ହଠାତ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ୩ ଜଣ ପୋଲିସ କର୍ମୀ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଭାବରେ ଆହାତ ହୋଇଥିଲେ । ଆହାତ ପୋଲିସ କର୍ମୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣା ସ୍ଥଳରୁ ଲୁଚି ପଳାଇଥିବା ଖବର ମିଳିଛି । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କ ବିରୁଦ୍ଧରେ ସର୍ଚ୍ଚ ଅପରେଶନ ଜାରୀ କରାଯାଇଛି ।