ଭୁବନେଶ୍ଵର,୩୦/୪ : ମହାମାରୀ କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏହାରି ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା କାରଣରୁ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ମଧ୍ୟ ବନ୍ଦ ହୋଇରହିଛି । ଏଭଳି ସମୟରେ ବିଶ୍ଵବିଦ୍ୟାଳୟ ମାନଙ୍କରେ ବନ୍ଦ ରହିଥିବା ପରୀକ୍ଷାକୁ ନେଇ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏକ ବଡ ଘୋଷଣା କରିଛନ୍ତି । ଅରୁଣ ସାହୁ କହିଛନ୍ତି ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହେବା ନେଇ ବିଜ୍ଞପ୍ତି ବାହାରି ପାରେ ଏଣୁ ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ ।
ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍-ୟୁଜିସି ପକ୍ଷରୁ ଗତକାଲି ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ ଗାଇଡଲାଇନ ଜାରି କରାଯାଇଛି । ସେହି ଗାଇଡଲାଇନ ଅନୁସାରେ ପରୀକ୍ଷା ପାଇଁ ବ୍ୟବସ୍ତା କରାଯାଉଥିବା ମନ୍ତ୍ରୀ କହିଛନ୍ତି । ୟୁଜିସି ଗାଇଡଲାଇନର ତର୍ଜମା କରାଯାଇ ଓଡିଶାରେ କରୋନା ପରିସ୍ଥିତିରେ ଆମେ କିପରି ପରୀକ୍ଷା କରିପାରିବୁ ସେ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ । ଏହାଛଡା ଏହି ଲକ୍ ଡାଉନ ସମୟ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ପାଇଁ ଏକ ବଡ ସୁଯୋଗ । ଛାତ୍ରଛାତ୍ରୀ ଏହାର ସୁବିନିଯୋଗ କରନ୍ତୁ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।
ସୂଚନାଯୋଗ୍ୟ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍-ୟୁଜିସି ଗାଇଡଲାଇନ ଅନୁସାରେ ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି କିମ୍ବା ପରିସ୍ଥିତି ସ୍ୱାଭାବିକକୁ ଫେରିଛି ସେହି ରାଜ୍ୟରେ, ଜୁଲାଇ ମାସରେ ପରୀକ୍ଷା ହେବ ବୋଲି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍-ୟୁଜିସି ଏଭଳି ନିଷ୍ପତ୍ତି ନେଇଥିବା ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ସେହିଭଳି ଏମଫିଲଡ୍ ଓ ପିଏଚଡି ଛାତ୍ରଛାତ୍ରୀଙ୍କ ଅବଧି ୬ ମାସ ପାଇଁ ବଢ଼ିଛି। ଅପରପକ୍ଷେ କରୋନା ମୁକାବିଲା କରିବାକୁ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରୟାସ କରାଯିବ। ପ୍ରତି ବିଶ୍ୱବିଦ୍ୟାଳୟରେ କରୋନା ସେଲ୍ ଗଠନ ହେବ। ପରୀକ୍ଷା ଓ ପାଠକ୍ରମକୁ ନେଇ ଏହି ସେଲ୍ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରାଯିବ ବୋଲି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍-ୟୁଜିସି ତାର ଗାଇଡଲାଇନରେ ଉଲ୍ଲେଖ କରିଛି ।