ରାଞ୍ଚି,୧୨/୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟର ମତଦାନ ଗୁରୁବାର ପୂର୍ବାହ୍ନ ୭ଟାରେ ଆରମ୍ଭ ହୋଇଯାଇଛି । ମତଦାନ ସନ୍ଧ୍ୟା ଯାଏଁ ଜାରି ରହିବ । ରାଜ୍ୟର ୧୭ଟି ଆସନରେ ୩୦୯ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି । ରାଞ୍ଚି, ହଟିଆ, କାଙ୍କେ, ରାମଗଡ଼ ଓ ବରକଠା ବିଧାନସଭା ଆସନରେ ପୂର୍ବାହ୍ନ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ କରାଯିବ । ସିଲ୍ଲୀ, ଖିଜରୀ, ମାଣ୍ଡୁ, ହଜାରିବାଗ, କୋଡରମା, ବରହୀ, ବଡ଼କାଗାଓ, ସିମରିୟା, ଧନବାର, ଗୋମିୟା, ବେରମୋ ଓ ଇଚାଗଡ଼ ବିଧାନସଭା ଆସନଗୁଡ଼ିକରେ ଅପରାହ୍ନ ୩ଟା ଯାଏଁ ମତଦାତା ଭୋଟ ଦେବେ ।
ନିର୍ବାଚନ ଆୟୋଗ ରାଞ୍ଚି, ହଜାରିବାଗ ଓ ରାମଗଡ଼ ବିଧାନସଭା ଆସନରେ ବୁଥ ଆପ ବ୍ୟବହାର କରିଛି । ଏହି ଆସନଗୁଡ଼ିକରେ ମତଦାତାଙ୍କୁ ମତଦାନ ପାଇଁ ଟୋକନ ଦିଆଯାଉଛି । ଏହା ପରେ ନିଜ ପାଇଁ ମିଳିଥିବା ସମୟରେ ମତଦାନ କରିପାରିବେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ ଚୌବେ କହିଛନ୍ତି, ୧୭ଟି ବିଧାନସଭା ଆସନରେ ମୋଟ ୭,୦୧୬ଟି ବୁଥ କରାଯାଇଛି । ଏଥିରୁ ୩୬୮୦ଟି ମତଦାନ କେନ୍ଦ୍ର ଅତି ସମ୍ବେଦନଶୀଳ ଓ ୧୬୨୨କୁ ସମ୍ବେଦନଶୀଳ ଘୋଷଣା କରାଯାଇଛି ।
ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି, ମତଦାନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ମତଦାନ କେନ୍ଦ୍ରଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି । ବିଶେଷ କରି ନକ୍ସଲ ପ୍ରଭାବିତ ମତଦାନ କେନ୍ଦ୍ର ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ ବିଧାନସଭା ୮୧ ଜଣ ସଦସ୍ୟକୁ ନେଇ ଗଠିତ ହୋଇଛି । ରାଜ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହେବ । ଡିସେମ୍ବର ୨୦ରେ ମତଦାନ ଶେଷ ହେବାର ୨ ଦିନ ପରେ ଅର୍ଥାତ ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ । ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋରା କହିଛନ୍ତି ଯେ, ଝାଡ଼ଖଣ୍ଡର ୬୭ଟି ଆସନ ଅତି ସମ୍ବେଦନଶୀଳ ଅଟେ ।
