ଟାଟା ଭାରତର ସବୁଠାରୁ ମୂଲ୍ୟବାନ ବ୍ରାଣ୍ଡ

ନୂଆଦିଲ୍ଲୀ,୩୦/୧: ବ୍ରାଣ୍ଡ ଟାଟାର ମୂଲ୍ୟ ୩୭ ପ୍ରତିଶତ ବୃଦ୍ଧି ପାଇବା ସହିତ ୧୯.୫ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ଏଥିସହିତ ଟାଟା ଗ୍ରୁପ୍‌ ବିଶ୍ୱର ଶୀର୍ଷ ୧୦୦ ବ୍ରାଣ୍ଡ ମଧ୍ୟରେ ସାମିଲ ହୋଇଯାଇଛି। ଏକ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଲୁଣରୁ ସଫ୍ଟଓ୍ବେର ପର୍ଯ୍ୟନ୍ତ ତିଆରି କରୁଥିବା ଏହି ଗ୍ରୁପ୍‌ କମ୍ପାନୀକୁ ଲଣ୍ଡନସ୍ଥିତ କନସଲଟାନ୍ସି ବ୍ରାଣ୍ଡ୍‌ ଫାଇନାନ୍ସ ତାଲିକାରେ ୮୬ତମ ସ୍ଥାନରେ ରଖାଯାଇଛି। ଏହି କମ୍ପାନୀ ୨୦୧୮ରେ ଏହି ତାଲିକାରେ ୧୦୪ତମ ସ୍ଥାନରେ ରହିଥିଲା। ବିଶ୍ୱର ଶୀର୍ଷ ୧୦୦ କମ୍ପାନୀ ମଧ୍ୟରେ ଏହା ଏକମାତ୍ର ଭାରତୀୟ କମ୍ପାନୀ। ଟାଟା ଗ୍ରୁପ୍‌ ପକ୍ଷରୁ ଜାରି ବୟାନରେ ବ୍ରାଣ୍ଡ ଫାଇନାନ୍ସର ଚିଫ୍‌ ଏକ୍‌ଜିକ୍ୟୁଟିଭ ଡେଭିଡ୍‌ ହେଗ୍‌ କହିଛନ୍ତି ଯେ, ଟାଟା ଗ୍ରୁପ୍‌ର ବ୍ରାଣ୍ଡ୍‌ ଭ୍ୟାଲ୍ୟୁରେ ୨୦୧୯ରେ ପ୍ରଭାବଶାଳୀ ବୃଦ୍ଧି ହୋଇଛି। ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେଖରନ କହିଛନ୍ତି ଯେ, ଏହି ମାନ୍ୟତା ମିଳିବା କାରଣରୁ ବ୍ୟବସାୟକୁ ବିଶ୍ୱରେ ସାମାଜିତ ଦାୟିତ୍ୱ ବୋଧ ସହିତ ବଢ଼ାଇବାକୁ ପ୍ରେରଣା ମିଳୁଛି। ନବୀନତମ ଏବଂ ଉଦ୍ୟମିତା ମାଧ୍ୟମରେ ଉତ୍କର୍ଷ ପ୍ରତିପାଦନ କରିବା ଲାଗି କ୍ରମଗତ ପ୍ରୟାସ ଜାରି ରହିବ। ମୁଖ୍ୟତଃ ଟାଟା କନସଲଟାନ୍ସି ସର୍ଭିସେସ୍‌ ଯୋଗୁ ବ୍ରାଣ୍ଡ ଭ୍ୟାଲ୍ୟୁରେ ଉନ୍ନତି ହୋଇଛି।