ଭୁବନେଶ୍ୱର ,୩/୧: ‘ମୋ ସାଇକେଲ୍’ ବ୍ୟବସ୍ଥା ଆରମ୍ଭ ହେବା ପରେ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଏହି ସେବା ଆରମ୍ଭ ହୋଇଥିବାବେଳେ ଏଥିରେ ସାଇକେଲ୍ ଆରୋହୀଙ୍କ ପାଇଁ ବିଭିନ୍ନ ପ୍ୟାକେଜ୍ରେ ସାଇକେଲ୍ ଚଳାଇବାର ସୁବିଧା ଯୋଗାଇ ଦିଆଯାଉଛି। ଏପରିକି ସ୍ମାର୍ଟ ଲକ୍ ବ୍ୟବସ୍ଥା ବି କରାଯାଇଛି। କିନ୍ତୁ କର୍ତ୍ତୃପକ୍ଷ ଯେତିକି ସ୍ମାର୍ଟ ଦେଖାଉଛନ୍ତି ରାଜଧାନୀ ଲୋକ ତାହାଠାରୁ ଅଧିକ ସ୍ମାର୍ଟ ବୋଲି ପ୍ରମାଣିତ ହୋଇଛି। ସେମାନେ କିପରି ଠକେଇ କରି ମାଗଣାରେ ସାଇକେଲ୍ ଚଳାଇପାରିବେ ତା’ର ସୁଚିନ୍ତିତ ରାସ୍ତା ବାହାର କରିଛନ୍ତି। ପ୍ରତିଦିନ ମାଗଣାରେ କିପରି ମୋ ସାଇକେଲ୍ ଚଲାଇବେ, ଯେଉଁଠି ଇଚ୍ଛା ସେଠାରେ ରଖିବେ, ଯେଉଁ ସାଇକେଲ୍ ଗନ୍ତବ୍ୟସ୍ଥଳକୁ ନେଇକି ଯିବେ ସେହି ସାଇକେଲ୍ରେ ଘରକୁ ଫେରିବେ ସେଥିପାଇଁ ଅଭିନବ ଉପାୟ ଆପଣାଇଛନ୍ତି ରାଜଧାନୀର କିଛି ବାସିନ୍ଦା। ମୋ ସାଇକେଲ୍ କେହି ବୁକିଂ କରି ନଥିଲେ ତାହା ଆପେ ଲକ୍ ହୋଇଯିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ସାଇକେଲ୍ରେ ସ୍ମାର୍ଟ ଲକ୍ ଏବଂ ଜିପିଏସ୍ ସଂଯୋଗ ହୋଇଛି। ରାଜଧାନୀର କିଛି ଲୋକ ଲକ୍ ହେଉଥିବା ରଡ୍ଟିକୁ ସୂତୁଲିରେ ବାନ୍ଧି ସାଇକେଲ୍କୁ ସଂପୂର୍ଣ୍ଣ ଭାବେ ଅନଲକ୍ କରିଦେଇଛନ୍ତି। ସାଇକେଲ୍କୁ ଯେତେବେଳେ ଯେଉଁଠିକୁ ପାରୁଛନ୍ତି ନେଉଛନ୍ତି। ସାଲିଆ ସାହି, କାରଗିଲ୍ ବସ୍ତି ସମେତ ବିଭିନ୍ନ ଅଞ୍ଚଳରେ ଏବେ କିଛି ଲୋକ ଏହି ଉପାୟ ଆପଣାଇଛନ୍ତି। ପ୍ରତିଦିନ ସାଇକେଲ୍ ଚଳାଉଛନ୍ତି, ରାତିରେ ଘରେ ସାଇକେଲ୍ ବି ରଖୁଛନ୍ତି ହେଲେ ଟଙ୍କାଟେ ଦେଉନାହାନ୍ତି। ସାଇକେଲ୍ ଯୋଗାଉଥିବା ତିନିଟି ସଂସ୍ଥା କର୍ତ୍ତୃପକ୍ଷଙ୍କ ପାଖରେ ବି ଏନେଇ ଖବର ନାହିଁ। ସାଇକେଲ୍ କୁଆଡ଼େ ଯିବ, କେଉଁ ନମ୍ବର୍ରେ ବୁକିଂ ହେଲା ତା’ର ସବିଶେଷ ତଥ୍ୟ ଡାଟାବେସ୍ରେ ରହିବ ବୋଲି କର୍ତ୍ତୃପକ୍ଷ କହୁଥିଲେ ହେଁ ଏହା କାମ କରୁଛି କି ନାହିଁ ବୋଲି ପ୍ରଶ୍ନ ଉଠିଲାଣି। ଯଦି କାମ କରୁଛି ତେବେ ପ୍ରାୟ ସପ୍ତାହେ ହେଲାଣି କର୍ତ୍ତୃପକ୍ଷ କିପରି ଜାଣିପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି।