ଭୁବନେଶ୍ୱର, ୨୩/୧୧: ବିଜେଡ଼ିରୁ ବିତାଡ଼ିତ ହେବା ପରେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆ ଦଳ ” ବିଜୁ ସମତାକ୍ରାନ୍ତି ଦଳ ” ଘୋଷଣା କରିଛନ୍ତି।
ନବଗଠିତ ଦଳର ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ଖୋଦ ଦାମ ରହିବେ। ତେବେ ଦଳରେ କୌଣସି କର୍ମକର୍ତ୍ତା ରହିବେ ନାହିଁ ବୋଲି ଦାମ କହିଛନ୍ତି। ନୂଆ ଦଳ ଘୋଷଣା କରିବା ପରେ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀ ରାଉତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। କୃଷି ସମସ୍ୟା, ବେକାରୀ ସମସ୍ୟା ଓ ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ ଦୁର୍ନୀତିକୁ ନେଇ ସମାଲୋଚନା କରିବା ସହ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରାଯିବା ‘ବିଜୁ ସମତାକ୍ରାନ୍ତି’ ଦଳର ଲକ୍ଷ୍ୟ । ବିଶେଷତଃ ଦଳରେ ଯୁବକମାନଙ୍କୁ ଯୋଗଦେବା ନେଇ ଆହ୍ୱାନ କରାଯିବ ବୋଲି ବରିଷ୍ଠ ନେତା ପ୍ରକାଶ କରିଛନ୍ତି। ଏହି ପ୍ରେସମିଟରେ ବ୍ରଜ କିଶୋର ତ୍ରିପାଠୀ ଓ ଯଜ୍ଞେଶ୍ୱର ବାବୁ ଉପସ୍ଥିତ ରହିଥିଲେ।