ଭୁବନେଶ୍ୱର,୧୫/୧୧: ବ୍ରହ୍ମ ବିଭ୍ରାଟ ଓ ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ପରେ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି ଦାରୁ ଚୟନରେ ଟଙ୍କା କାରବାର ପ୍ରସଙ୍ଗ । ଦେବୀ ସୁଭଦ୍ରାଙ୍କ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ବୟାନ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣି ଆଣିଛି । ଏ ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଦାରୁ ଚୟନ ଷଡ଼ଯନ୍ତ୍ରକାରୀଙ୍କୁ ଧରିବାକୁ ବିଜେପି ଉପଯୁକ୍ତ ତଦନ୍ତ ଦାବି କରିଥିବାବେଳେ କଂଗ୍ରେସ ସିଧାସଳଖ ବିଧାୟକ ଓ ସାଂସଦଙ୍କ ଉପରେ ଦୋଷ ଲଦିଛନ୍ତି ।
ନବକଳେବର ସମୟରେ ଦାରୁ ଚୟନରେ ଫିକ୍ସିଂ ଅଭିଯୋଗ ଆସିବା ପରେ ଜଣେ କାର୍ଯ୍ୟରତ ବିଚାରପତିଙ୍କ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଦ୍ୱାରା ଓଡିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ କରାଯାଇଛି । ଏଥିରେ ବିଧାୟକ ଅରୁଣ ସାହୁଙ୍କ ସମ୍ପୃକ୍ତି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି ଦାରୁ ଫିକ୍ସିଂ ପାଇଁ ଯିଏ ତାଙ୍କୁ ରାଜ୍ୟ ସରକାର ସାଂସଦ କରି ରାଜ୍ୟସଭାକୁ ପଠାଇଛନ୍ତି । ଏ ସରକାର ହେଉଛି ଫିକ୍ସିଂ ସରକାର । ସବୁ କଥାରେ ଡିଲ୍ କରେ । ବ୍ରହ୍ମ ବିଭ୍ରାଟ ଘଟଣା ଓଡିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଛି ।