ଭୁବନେଶ୍ୱର, ୧୮/୧୦ : ଦୀପାବଳି ଆସିଲେ ସପ୍ତାହେ ଆଗରୁ ଆରମ୍ଭ ହୋଇଯାଏ ବାଣ ଫୁଟା । ହେଲେ ଏ ବର୍ଷ ଆଉ ରାତିସାରା ଫୁଟିବନି ବାଣ । ଦୀପାବଳି ପାଇଁ କମିଶନରେଟ ପୋଲିସ ଗାଇଡ଼ଲାଇନ ଜାରି କରିଛି । ରାତି ୯ଟା ପରେ ବାଣ ଫୁଟାଇଲେ ପୋଲିସ ନବ ଆକ୍ସନ । ଲୋକାଲ ବାଣ ଫୁଟାଇଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଛନ୍ତି ଡିସିପି । ସବୁ ବାଣ ଦୋକାନ ଗୁଡିକରେ ପୋଲିସ ଯାଞ୍ଚ କରୁଛି । ଦୀପାବଳି ଦିନ ପୋଲିସ ସହର ସାରା ପେଟ୍ରୋଲିଂ କରିବାକୁ ସବୁ ଥାନା ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି.ଜଗମୋହନ ମିନା । ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ କିଛି ଦିନ ପୂର୍ବରୁ ଗାଇଡଲାଇନ୍ ଆସିଥିଲା । ତେବେ ବାଣ ଫୁଟାଇବାର ସମୟ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରିଥିଲା । ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ବର୍ଜନ କରାଯାଇଛି । ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ । ଶାନ୍ତି କ୍ଷେତ୍ର ଯେମିତିକି ବଗିଚା,ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବର୍ଜିତ କରାଯାଇଛି । ଖୋଲା ଜାଗାରେ ଯଦି କେହି ବାଣ ଫୁଟାଇବାକୁ ଚାହିବେ ତାହା ସବୁଜ ବାଣ ହିଁ ହୋଇଥିବ । ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦେଇନି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।
