ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡି ୮ ରେ ସଂସଦ ଘେରାଉ କରିବ

ଭୁବନେଶ୍ୱର, ୪।୧: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଦାବିରେ ସଂସଦ ଘେରାଉ କରିବ ବିଜେଡି। ସହାୟକ ମୂଲ୍ୟ ୨,୯୩୦ ଟଙ୍କା କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ବିଜେଡି ଏହାକୁ ପ୍ରତିବାଦ କରି ଆସନ୍ତା ୮ ତାରିଖରେ ବିଜେଡି ସଂସଦ ଘେରାଉ କରିବ ।

ଏନେଇ ଶନିବାର ଏକ ସ୍ଵତନ୍ତ୍ର ରେଳ ଯୋଗେ ବିଜେଡି ଏମ୍‌ପି, ବିଧାୟକ, ବିଜୁ ଯୁବ, ଛାତ୍ର, ମହିଳା ଓ ଜିଲା ସଭାପତିମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ୨୦୧୪ରୁ କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କୁ ହତାଦର କରିଆସୁଥିବାରୁ ଏହାକୁ ବିଜେଡି ପ୍ରତିବାଦ କରିବ। ପରେ ରାଷ୍ଟ୍ରପତିଙ୍କୁ ଦଳ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ବିଜୁ କୃଷକ ଜନତା ଦଳର ମହାସଚିବ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସେହିପରି କେନ୍ଦ୍ର ସରକାରଙ୍କ ଛାତ୍ର ମାରଣ ନୀତିକୁ ବିରୋଧ କରି ବିଜେଡି ପକ୍ଷରୁ ଶୁକ୍ରବାରଠାରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ। ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ସାମୁହିକ ଦସ୍ତଖତ ଅଭିଯାନ କରାଯିବା ପରେ ରାଜ୍ୟର ୩୦ଜିଲାରେ ଦସ୍ତଖତ ସଂଗ୍ରହ କରାଯିବ। ବିଶେଷକରି ଉଚ୍ଚଶିକ୍ଷା ନିମନ୍ତେ ଅନୁସୂଚିତ ଜାତିର ଛାତ୍ରୀଛାତ୍ରଙ୍କ ଲାଗି ଉଦ୍ଦିଷ୍ଟ ମେଧାବୃତ୍ତିରେ କେନ୍ଦ୍ର ସରକାର ଅର୍ଥକାଟ କରୁଥିବାରୁ ଏହାକୁ ବିରୋଧ କରି ବିଜେଡି ଏହି ଅଭିଯାନ କରୁଛି। ପ୍ରାୟ ୧୦ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବା ପରେ ଏହା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଯିବ।

SBI_Festive_Digital Billboard