ଧାରଣା ପ୍ରତ୍ୟାହାର କଲେ ମମତା : କହିଲେ ନୈତିକ ବିଜୟ ହୋଇଛି

କୋଲକାତା,୫/୨: ସୁପ୍ରିମକୋର୍ଟ ସିବିଆଇ ସମ୍ମୁଖରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେବା ପରେ ଶେଷରେ ଧାରଣାରୁ ହଟିବାକୁ ବାଧ୍ୟ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ସହିତ ଗତ ରବିବାର ରାତି ପ୍ରାୟ ୯ଟାରୁ ଧାରଣାରେ ବସିଥିବା ମମତାଙ୍କ ୪୬ ଘଣ୍ଟାର ଧାରଣା ଶେଷ ହୋଇଛି। ଏହି ଧାରଣା ସମ୍ବିଧାନ ଓ ଗଣତନ୍ତ୍ର ପାଇଁ ବିଜୟ ହୋଇଛି ବୋଲି କହିଛନ୍ତି ମମତା ବାନାର୍ଜୀ। ତେଣୁ ଧାରଣା ବନ୍ଦ କରାଯାଉଥିବା ସେ କହିଛନ୍ତି।

ମମତା କହିଛନ୍ତି ଯେ ଚନ୍ଦ୍ରବାବୁ ନାଇଡୁଙ୍କ ଅପିଲ ପରେ ସେ ଏହି ଧାରଣା ସମାପ୍ତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶକୁ ଆମେ ସ୍ଵାଗତ କରୁଛୁ। କେହି ବି ଏହି ଦେଶର ବିଗ୍ ବସ୍ ନୁହନ୍ତି, ଗଣତନ୍ତ୍ର ହିଁ ଦେଶର ବିଗ୍ ବସ। ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ମେଣ୍ଟର ସମସ୍ତ ନେତା ପ୍ରଧାନମନ୍ତ୍ରୀ ହେବେ।
ମମତା ବାନାର୍ଜୀ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ଆମେ ଆଗାମୀ ସପ୍ତାହରେ ଦିଲ୍ଲୀରେ ଉଠାଇବୁ। ଏହି ଅବସରରେ ସେ ବିଜେପି ଉପରେ ହମଲା କରି କହିଛନ୍ତି ଯେ, କେନ୍ଦ୍ର ସରକାର ସବୁ ଏଜେନ୍ସି ଉପରେ କବଜା କରିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀରୁ ଇସ୍ତଫା ଦେଇ ଦେବା ଉଚିତ୍। ତାଙ୍କୁ ପୁର୍ନବାର ଗୁଜରାତ ଚାଲିଯିବା ଉଚିତ୍, କାରଣ ଦିଲ୍ଲୀରେ ଗୋଟିଏ ପାର୍ଟି ଓ ଗୋଟିଏ ବ୍ୟକ୍ତି ଶାସନ ଚାଲିଛି। ସୂତ୍ର ମୁତାବକ ମମତା ଦିଲ୍ଲୀରେ ମଧ୍ୟ ଧାରଣାରେ ବସି ପାରନ୍ତି।

ବାନାର୍ଜୀ କହିଛନ୍ତି ଯେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ଉପରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ଆମେ ସ୍ଵାଗତ କରୁଛୁ। ମୋତେ ଲାଗୁଛି ଯେ ଏହା ନୈତିକତାର ବିଜୟ। ଆମେ ନ୍ୟାୟପାଳିକାକୁ ସମ୍ମାନ କରୁଛୁ। ରାଜୀବ କେବେ ମଧ୍ୟ କହି ନାହାନ୍ତି ଯେ ସେ ତଦନ୍ତରେ ସହଯୋଗ କରିବେ ନାହିଁ। ଯଦି ସିବିଆଇକୁ କୌଣସି ପ୍ରକାରର ସ୍ପଷ୍ଟୀକରଣରର ଆବଶ୍ୟକତା ରହିଛି ତେବେ ସେମାନେ ଆସି ପାରିବେ। ମମତା କହିଛନ୍ତି ଯେ ସିବିଆଇ ଗିରଫ କରିବାକୁ ଆସିଥିଲା, ଯାହା ଉପରେ ଅଦାଲତ ରୋକ୍ ଲଗାଇଛନ୍ତି। ଆମେ ଲକ୍ଷାଧିକ ଲୋକଙ୍କ ପାଇଁ ଲଢୁଛୁ କେବଳ ରାଜୀବ କୁମାରଙ୍କ ପାଇଁ ନୁହେଁ। ଏହି ମାମଲାରେ ଆମର ପକ୍ଷ ମଜବୁତ ରହିଛି। ଆମେ କେବେ ବି କହିନାହୁଁ ଯେ ତଦନ୍ତରେ ସହଯୋଗ କରିବୁ ନାହିଁ।