ନଦୀକୁ ଖସିଲା ବସ୍ : ୧୮ ମୃତ

ନୂଆଦିଲ୍ଲୀ, ୨୩/୦୨ : ନେପାଳର ଧାଡିଂ ଜିଲ୍ଲାରେ ଏକ ବସ୍ ହାଇୱେରୁ ନଦୀକୁ ଖସି ପଡ଼ିଛି। ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ବିଦେଶୀ ନାଗରିକ ମହିଳା ରହିଛନ୍ତି। ସେମାନେ କେଉଁ ଦେଶର ଏବଂ ସେମାନଙ୍କ ପରିଚୟ ବର୍ତ୍ତମାନ୍ ପର୍ଯ୍ୟନ୍ତ ମିଳିପାରିନାହିଁ। ପୁଲିସର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ, ଅନ୍ୟ ଜଣେ ଯାତ୍ରୀଙ୍କ ମୃତ୍ୟୁ ନିଶ୍ଚିତ ହେବା ସହିତ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି। ଦୁର୍ଘଟଣାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଏବଂ ଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ବସ୍‌ ଟି ପୋଖରାରୁ କାଠମାଣ୍ଡୁ ଯାଉଥିବା ବେଳେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ତ୍ରିଶୁଳି ନଦୀକୁ ଖସି ପଡ଼ିଥିଲା। ଧାଡିଂ ଜିଲ୍ଲାର ବେନିଘାଟ ରୋରାଙ୍ଗ ଅଞ୍ଚଳରେ ରାତି ପ୍ରାୟ ୧:୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଏବଂ ୬ ଜଣ ମହିଳା ଅଛନ୍ତି। ଦୁର୍ଘଟଣା ସମୟରେ ବସ୍‌ରେ ମୋଟ ୪୪ ଜଣ ଯାତ୍ରୀ ଥିଲେ। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।