ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଯୋଗ୍ୟ ବ୍ୟକ୍ତି : ସୂର୍ଯ୍ୟ ପାତ୍ର

ଭୁବନେଶ୍ଵର,୧୭/୫: ସପ୍ତଦଶ ଲୋକସଭା ନିର୍ବାଚନର ଫଳାଫଳ ମେ ୨୩ ଉପରେ ଏବେ ସଭିଙ୍କ ନଜର। ଯଦି ଏନଡିଏ ସଂଖ୍ୟା ଗରିଷ୍ଠତା ପାଇବାରେ ବିଫଳ ହୁଏ ତେବେ ରାଜନୈତିକ ସମୀକରଣ କଣ ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ମହାମେଣ୍ଟ, ବାମମୋର୍ଚ୍ଚା ଆଞ୍ଚଳିକ ଦଳକୁ ନେଇ ସରକାର ଗଠନ କରିବାକୁ ଅଣ୍ଟା ଭିଡିଛନ୍ତି। ଏହା ମଧ୍ୟରେ ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ସବୁଠୁ ଯୋଗ୍ୟ ପ୍ରାର୍ଥୀ କହିଛନ୍ତି, ବିଜେଡି ଉପସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ ଦେଶ ତଥା ରାଜ୍ୟବାସୀ ଚାହୁଁଛନ୍ତି ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତୁ।

ବିଜେଡି ଏବେ କଣ ସମଦୂରତା ନୀତି ଆପଣେଇବ ପ୍ରଶ୍ନରେ ସୂର୍ଯ୍ୟ ପାତ୍ର କହିଛନ୍ତି ଯେ, ଯିଏ ଓଡ଼ିଶାର ସ୍ଵାର୍ଥ କଥା କହିବ, ତାକୁ ସମର୍ଥନ ଦିଆଯିବ। ଓଡ଼ିଶାର ସ୍ଵାର୍ଥ ସର୍ବୋପରି ବୋଲି ସୂର୍ୟ୍ୟର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି। ଉଭୟ ଦଳ ସରକାର ଗଠନ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।