ନାସାକୁ ମିଳିଲା ମହତ୍ଵପୂର୍ଣ୍ଣ ଫଟୋ, ଲ୍ୟାଣ୍ଡର ବିକ୍ରମକୁ ନେଇ ପୁଣି ଥରେ ଆଶା ଜାଗ୍ରତ

ନୂଆଦିଲ୍ଲୀ,୧୯/୯: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲାଣ୍ଡିଂ ନହେବା ପରେ ଯେମିତି ଯେମିତି ଦିନ ବିତି ଚାଲିଲା, ଲ୍ୟାଣ୍ଡର ସହ ଯୋଗାଯୋଗ ଆଶା ମଧ୍ୟ ମଉଳି ଚାଲିଲା, ମାତ୍ର ଏବେ ନାସାର ଏକ ପ୍ରୟାସ ପୁଣି ଥରେ ମନରେ ଆଶା ସଞ୍ଚାର କରିଛି। ଆମେରିକା ମହାକାଶ ଏଜେନ୍ସି ନାସା ନିଜର ଚନ୍ଦ୍ର ଅର୍ବିଟର ଦ୍ଵାରା ଚନ୍ଦ୍ରର ଉକ୍ତ ଅଂଶର ଫଟୋ ଉଠାଇଛି, ଯେଉଁଠି ଲ୍ୟାଣ୍ଡର ସଫ୍ଟ ଲାଣ୍ଡିଂ କରିବାକୁ ଉଦ୍ୟମ କରିଥିଲା। ନାସା ଏବେ ଏହି ସବୁ ଫଟୋର ସମୀକ୍ଷା କରୁଛି।

ନାସାର ଏକ ପ୍ରୋଜେକ୍ଟ ବୈଜ୍ଞାନିକଙ୍କ ସୂତ୍ରରୁ ସାମ୍ବାଦିକଙ୍କୁ ଏହି ଖବର ଦିଆଯାଇଛି। ନାସାର ଲୁନାର ରିକାନିସନ୍ସ ଅର୍ବିଟର(ଏଲଆରଓ) ଅନ୍ତରୀକ୍ଷଯାନ ଚନ୍ଦ୍ରର ଦକ୍ଷିଣ ମେରୁ ପାଖରେ ସେଠାରେ ଗତି କରିବା ବେଳେ ଅନେକ ଫଟୋ ଉଠାଇଛି, ଯେଉଁଠି ବିକ୍ରମ ଅବତରଣ କରିବାକୁ ପ୍ରୟାସ କରିଥିଲା। ଏଲଆରଓର ଡେପୁଟୀ ପ୍ରଜେକ୍ଟ ବୈଜ୍ଞାନିକ ଜନ କ୍ୟାଲର ନାସାର ବୟାନକୁ ଉଲ୍ଲେଖ କରି କହିଛନ୍ତି ଯେ ଅର୍ବିଟରର କ୍ୟାମେରା ଚନ୍ଦ୍ରର ଦକ୍ଷିଣ ମେରୁର ଅନେକ ଫଟୋ ଉଠାଇଛି।

କ୍ୟାଲର ସୂଚନା ଦେଇ କହିଛନ୍ତି ଯେ ଏଲଆରଓ ଟିମ୍ ଏହି ସବୁ ଫଟୋର ବିଶ୍ଳେଷଣ କରିବେ ଏବଂ ପ୍ରଥମ ଫଟୋ ସହ ଏହାର ତୂଳାନ କରି ଦେଖିବେ କଣ ଏଥିରେ ଲ୍ୟାଣ୍ଡର ନଜର ଆସୁଛି ନା ନାହିଁ। ରିପୋର୍ଟରେ କୁହାଯାଇଛି ଯେ ନାସା ଏହି ଫଟୋର ବିଶ୍ଳେଷଣ ଓ ସମୀକ୍ଷା କରୁଛି। ଅର୍ବିଟର ଉକ୍ତ ସ୍ଥାନ ଦେଇ ଗତି କରିବା ସମୟରେ ଚନ୍ଦ୍ରରେ ସନ୍ଧ୍ୟା ଥିଲା। ନାସାର ଏହି ପ୍ରୟାସ ପୁଣି ଥରେ ଲ୍ୟାଣ୍ଡରକୁ ନେଇ ଆଶା ଜାଗି ଉଠିଛି।

ସେପ୍ଟେମ୍ବର ୨୧ /୨୨ ତାରିଖରେ ଚନ୍ଦ୍ରରେ ଅନ୍ଧକାର ଛାଇଯିବ। ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟକିରଣ ପଡ଼ିବ ନାହିଁ, ଯେଉଁଠି ବିକ୍ରମ ହାର୍ଡ ଲାଣ୍ଡିଂ କରିଛି। ତାପମାତ୍ରା ହ୍ରାସ ପାଇ ବିଯୁକ୍ତ ୧୮୩ ଡିଗ୍ରୀ ସେଲିୟସ୍ ପର୍ଯ୍ୟନ୍ତ ରହିପାରେ। ଏହି ତାପମାତ୍ରାରେ ବିକ୍ରମ ଲ୍ୟାଣ୍ଡରର ଇଲେକ୍ଟ୍ରୋନିକ ଯନ୍ତ୍ରାଂଶ ନିଜକୁ ଜୀବିତ ରଖି ପାରିବ ନାହିଁ। ଯଦି ବିକ୍ରମ ଲ୍ୟାଣ୍ଡରରେ ରେଡିଓଆଇସୋଟୋପ୍ ହିଟର ୟୁନିଟ୍ ଲାଗିଥାନ୍ତା ତେବେ ସେ ନିଜକୁ ବଞ୍ଚାଇ ପାରିଥାନ୍ତା। କାରଣ ଏହି ୟୁନିଟ୍ ଜରିଆରେ ରେଡିଓଆଇସୋଟୋପ୍ ଥଣ୍ଡାରୁ ରକ୍ଷା କରି ପାରିଥାନ୍ତା।

ସେପ୍ଟେମ୍ବର ୭ ଭୋର ୧ଟା ୫୦ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ କଠିନ ଅବତରଣ ବା ହାର୍ଡ ଲାଣ୍ଡିଂ କରିଥିଲା। ଯେଉଁ ସମୟରେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଖସିଲା ସେହି ସମୟରେ ସେଠାରେ ସକାଳ ଥିଲା। ଅର୍ଥାତ ସୂର୍ଯ୍ୟ କିରଣ ଚନ୍ଦ୍ରରେ ପଡ଼ିବା ଆରମ୍ଭ ହୋଇ ଯାଇଥିଲା। ଚନ୍ଦ୍ରର ପୂରା ଦିନ ଅର୍ଥାତ ସୂର୍ୟ୍ୟଚ କିରଣ ପଡ଼ୁଥିବା ସମୟ ପୃଥିବୀର ୧୪ ଦିନ ସହ ସମାନ। ୧୪ ଦିନ କାମ କରିବାର ମିଶନ ନେଇ ଯାଇଥିବା ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରର ଜୀବନକାଳ ପୂରା ହୋଇଯିବ।