ନୂଆବର୍ଷରେ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୧/୧ : ନୂଆ ବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି କାର୍ଯ୍ୟାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମଧ୍ୟାହ୍ଣରେ ପୁରୀ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ମନ୍ଦିରକୁ ଯାଇ ସିଂହଦ୍ବାର ଗୁମୁଟରେ ପତିତପାବନଙ୍କୁ ଦର୍ଶନ କରିଥିଲେ। ତାଙ୍କର ଆଣ୍ଠୁରେ ଯନ୍ତ୍ରଣା ଥିବାରୁ ଶ୍ରୀମନ୍ଦିର ଗର୍ଭ ଗୃହକୁ ସେ ଯାଇପାରି ନ ଥିଲେ। ସେଠାରେ ପ୍ରାୟ ୧୫ ମିନିଟ୍ ଅତିବାହିତ କରିବା ପରେ ଫେରିଥିଲେ। ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ସାର୍ଥକ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ରହଣିକୁ ତଦାରଖ କରିଥିଲେ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ସକାଳ ବ୍ୟାୟାମ୍ ପରେ ପରେ ଆଣ୍ଠୁରେ କଷ୍ଟ ଅନୁଭବ କରିବାରୁ ସାମୟିକ ବିଶ୍ରାମ ପାଇଁ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି । ତେଣୁ ଆଜି ନୂଆବର୍ଷ ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ ଶୁଭେଚ୍ଛୁ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନ ଆସିବା ପାଇଁ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରାଯାଇଛି ।

SBI_Festive_Digital Billboard