ପର୍ଥ, ୧୫/୧୨: ଦ୍ରୁତ୍ ବୋଲରଙ୍କ ପିଚ୍ କୁହାଯାଉଥିବା ପର୍ଥରେ ଅଷ୍ଟ୍ରେଲିଆର ୩୨୬ ରନ୍ର ଜବାବରେ ସ୍ଥିତି ସମ୍ଭାଳିବାରେ ସକ୍ଷମ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତେ୍ୱ କୋହଲି ଓ ରାହାଣେଙ୍କ ଅର୍ଦ୍ଧାତକକୀୟ ପାରି ଓ ପାର୍ଟନର ସିପ୍ ବଳରେ ଦ୍ୱିତୀୟ ଦିନ ଷ୍ଟମ୍ପ ଅପସରାର ବେଳକୁ ଭାରତ ୩ ୱିକେଟରେ ୧୭୨ ରନ୍ କରିଛି । ବିରାଟ କୋହଲ ୮୨ ଓ ରାହାଣେ ୫୧ କରି ଅପରାଜିତ ରହିଛନ୍ତି । କାଲି ମ୍ୟାଚ୍ର ତୃତୀୟଦିନ ହୋଇଥିବା ବେଳେ ଭାରତ ୭ ୱିକେଟ ହାତରେ ରଖି ୧୫୪ ରନ୍ ପଛରେ ରହିଛି । ଅଷ୍ଟ୍ରେଲିଆ ପକ୍ଷରୁ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୨ଟି ୱିକେଟ୍ ନେଇଥିବା ବେଳେ ଜୋଶ ହେଜେଲଉଡ୍ ଗୋଟିଏ ୱିକେଟ୍ ପାଇଛନ୍ତି । ଅଷ୍ଟ୍ରେଲିଆ ଆଜି ୪ ୱିକେଟ ହାତରେ ଥାଇ ୨୭୭ ରନ୍ରୁ ଦ୍ରୁତ ଗତିରେ ଖେଳ ଆରମ୍ଭ କରିଥିଲା । ତେବେ ଇଶାନ୍ତ ଶର୍ମା ଲଗାତର ଦୁଇଟି ବଲ୍ରେ ମିଚେଲ ଷ୍ଟାର୍କ ଏବଂ ଜୋଶ ହେଜେଲଉଡ୍ଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆ ଇନିଂର ୩୨୬ ରନ୍ରେ ଅନ୍ତ ଘଟାଇଥିଲେ । ଅଷ୍ଟ୍ରେଲିଆର ୩୨୬ ରନ୍ର ଜବାବରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୬ ଥିବା ବେଳେ ଖାତା ଖୋଲି ପାରି ନଥିବା ଓପନର ମୁରଲୀ ବିଜୟଙ୍କୁ ମିଚେଲ ଷ୍ଟାର୍କ କ୍ଲିନ୍ ବୋଲï କରିଥିଲେ । ଏହାପରେ ଅନ୍ୟତମ ଓପନର ଲୋକେଶ ରାହୁଲ ମଧ୍ୟ ୨ ରନ୍ କରି ହେଜେଲଉଡ୍ଙ୍କ ଶିକାର ହୋଇଥିଲେ । ଦଳ ୮ ରନ୍ରେ ୨ ୱିକେଟ୍ ହରାଇ ଅଡ଼ୁଆରେ ପଡ଼ିଥିଲାବେଳେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଏବଂ ଅଧିନାୟକ ବିରାଟ ବେଶ ଚମତ୍କାର ଢଙ୍ଗରେ କଙ୍ଗାରୁ ବୋଲରଙ୍କ ସାମ୍ନା କରିଥିଲେ । ଉଭୟ ୩ୟ ୱିକେଟ୍ ପାଇଁ ୭୪ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ । ପୂଜାରା ମାତ୍ର ୨୪ ରନ୍ କରିଥିଲେ ହେଁ ୧୦୩ଟି ବଲ୍ ଖେଳି ସ୍ଥିତିକୁ ମଜଭୁତ କରିଥିଲେ । ତେବେ ଦଳୀୟ ସ୍କୋର ୮୨ ଥିବା ବେଳେ ଷ୍ଟାକ୍ ର୍ନିଭରଯୋଗ୍ୟ ପୂଜାରାଙ୍କୁ ପ୍ୟାଭିଲିୟନ ପଠାଇ ବିପର୍ଯ୍ୟୟ ସଷ୍ଟି କରିଥିଲେ । ବିରାଟ୍ଙ୍କୁ ସାଥ ଦେବା ପାଇଁ ତାଙ୍କ ଡେପୁଟି ରାହଣେ ପଡ଼ିଆକୁ ଓହ୍ଲାଇବା କ୍ଷଣି ରନ୍ ସଂଗ୍ରହ ହାର ବଢ଼ି ଯାଇଥିଲା । ପ୍ରଥମରୁ ରାହଣେ ବଡ଼ ବଡ଼ ଶଟ୍ ଖେଳି କଙ୍ଗାରୁ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ । ଇତି ମଧ୍ୟରେ ବିରାଟ୍ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଏହାର କିଛି ସମୟ ପରେ ରାହଣେ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରି ଦଳର ସ୍ଥିତିକୁ ମଜଭୁତ କରିଥିଲେ । ଉଭୟେ ୪ର୍ଥ ୱିକେଟ୍ ପାଇଁ ୯୦ ରନ୍ ଯୋଡ଼ି ଦିନର ଖେଳ ଶେଷ ହେବା ଯାଏ ଅଷ୍ଟ୍ରେଲିଆ ବୋଲରଙ୍କୁ କୌଣସି ସଫଳତା ହାସଲ କରିବାକୁ ଦେଇ ନଥିଲେ ।