ଭୁବନେଶ୍ୱର,୬/୭: କଂଗ୍ରେସକୁ ପଛରେ ପକାଇ ବିଜେଡି ସହ କଡ଼ା ଟକ୍କର ଦେଇ ବିଜେପି ପ୍ରଥମଥର ପାଇଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିଛି। କିନ୍ତୁ ସାଧାରଣ ନିର୍ବାଚନ ସରିବାର ମାତ୍ର ଦେଢ଼ ମାସ ମଧ୍ୟରେ ବିଭିନ୍ନ ରାଜନୀତିକ ଘଟଣାକ୍ରମ ଏବେ ବିଜେଡି ଓ ବିଜେପିକୁ ଅତ୍ୟନ୍ତ ନିକଟ କରାଇଥିବାବେଳେ ପାଟକୁରା ନିର୍ବାଚନରେ ଦୁଇ ଦଳର ଆଭିମୁଖ୍ୟ କ’ଣ ରହିବ, ତାକୁ ନେଇ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅନିଶ୍ଚିତତା ଲାଗି ରହିଛି। ଏପରିକି ୨୦୦୦ ମସିହାରୁ ରାଜ୍ୟ ବିଧାନସଭାକୁ ଆସିବା ପାଇଁ କ୍ରମାଗତ ପ୍ରୟାସ କରୁଥିବା ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପାଇଁ ମଧ୍ୟ ଦ୍ରୁତଗତିରେ ବଦଳୁଥିବା ରାଜନୀତିକ ସମୀକରଣ ମୁଖ୍ୟ ପ୍ରତିବନ୍ଧକ ସାଜିବ ବୋଲି ଆଶଙ୍କା କରାଯାଉଛି।
ପାଟକୁରାରେ ବିଜେଡିର ଦୁର୍ବଳ ପ୍ରାର୍ଥୀଙ୍କ ପ୍ରତି ବଢ଼ୁଥିବା ଅସନ୍ତୋଷ ଯୋଗୁ ବିଜୟ ମହାପାତ୍ରଙ୍କ ଜିତିବା ଏକରକମ ସ୍ପଷ୍ଟ ହେଉଥିବାବେଳେ ନବୀନଙ୍କର ବିଜେପି ସହ ଏଭଳି ଡିଲ୍ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ର ପାଟକୁରାରେ ଶାସକ ବିଜେଡି ସହ ଲଢ଼େଇ କରିବାକୁ ଅବତୀର୍ଣ୍ଣ ହୋଇ ନିଶ୍ଚିତ ବିଜୟ ଅଭିମୁଖେ ଅଗ୍ରସର ହେଉଥିବାବେଳେ ନବୀନଙ୍କ ରାଜ୍ୟସଭା ଡିଲ୍ ତାଙ୍କର ବିଜୟ ମାର୍ଗରେ ପ୍ରତିବନ୍ଧକ ହେବାର ଆଶଙ୍କା ରହିଛି। ବିଜେପିରେ ଥିବା ଗୋଷ୍ଠୀକନ୍ଦଳର ଫାଇଦା ବିଜେଡିକୁ ମିଳିବା ସହ ବିଜୟଙ୍କୁ ଚେକ୍ ଦେବାରେ ନବୀନ ସକ୍ଷମ ହେବେ ବୋଲି ଚର୍ଚ୍ଚା ହେଉଛି। ମାତ୍ର ପାଟକୁରାରେ ଏବେ ବିଜୟଙ୍କ ପ୍ରତି ବଢ଼ୁଥିବା ସମର୍ଥନକୁ ଭେଦ କରିବା ବିଜେପି କିମ୍ବା ନବୀନଙ୍କ ପାଇଁ ଏତେ ସହଜ ହେବନି ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି।