ଜଗତସିଂହପୁର,୨୫/୧୧ : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ପହଞ୍ଚିଛି । ଏହି ଦୁଇଟି ଜାହାଜର ନାଁ ହେଲା ‘ଆଇଏନ୍ଏସ୍ ସୁମେଧା’ ଓ ‘ଆଇଏନ୍ଏସ୍ ତିହାୟୁ’ । ୨୦୧୪ରେ ବିଶାଖାପାଟଣାରୁ ଲୋକାର୍ପଣ ହୋଇଥିବା ଆଇଏନ୍ଏସ୍ ‘ସୁମେଧା’ ପ୍ରଥମ ଥର ପାଇଁ ପାରାଦୀପରେ ପହଞ୍ଚିଛି । ଏହି ଜାହାଜଟି ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ର ଧାରଣ କରିବାର କ୍ଷମତା ରଖିଛି । ଏଥିରେ ୭୬ ଏମ୍ଏମ୍ ସୁପର ସ୍ପିଡ୍ ବନ୍ଧୁକ ରହିଛି । ଆଇଏନ୍ଏସ୍ ତିହାୟୁ ସମୁଦ୍ର ମଧ୍ୟକୁ ତୀବ୍ର ବେଗରେ ଯିବା ଆସିବା କରପାରିବାର କ୍ଷମତା ରଖିଛି।
ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ନୌସେନା ଦିବସ ପାଳନ ହେବ। ଏହି ଅବସରରେ ଏହି ଦୁଇଟି ଜାହାଜକୁ ସମୁଦ୍ର ମଧ୍ୟରୁ ଅଣାଯାଇ ପାରାଦୀପ ଉପକୂଳରେ ଦୁଇ ଦିନ ରଖାଯିବ ବୋଲି ଜଣାପଡ଼ିଛି । ସାଧାରଣ ଜନତାଙ୍କ ଦେଖିବା ପାଇଁ ଏହି ବ୍ୟବସ୍ଥା କରାଯିବ ବୋଲି ନୌସେନା ପକ୍ଷରୁ ଦର୍ଶାଯାଇଛି। ଦେଶର ସୁରକ୍ଷା ଦିଗରେ ନୌସେନାର ଅନେକ ଭୂମିକା ରହିଛି । ଯୁବ ସମାଜକୁ ନୌସେନାରେ ସାମିଲ ହେବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
