ପିତାପ୍ରିୟ ଶିଶୁ ଅଧିକ ସ୍ୱାସ୍ଥ୍ୟବାନ

ପରିବାରରେ ସବୁ ସନ୍ତାନମାନେ ବାପାଙ୍କ ମୁହଁ, ହାତଗୋଡ଼, ଶରୀର ଧାରଣ କରି ନଥାନ୍ତି ।
ତେବେ ଯେଉଁ ସନ୍ତାନଙ୍କ ଗୁଣ ବାପାଙ୍କ ଭଳି, ସେମାନେ ସ୍ୱାସ୍ଥ୍ୟବାନ ହେଉଥିବାର ରିପୋର୍ଟ ପ୍ରକାଶ ପାଇଛି । ପିଲାଙ୍କୁ ସୁସ୍ଥ ସବଳ କରିବା ପଛରେ ବାପାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ବାପାଙ୍କ ସହ ଅଧିକ ସମୟ କଟାଉଥିବା ପିଲାମାନେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଦୃଢ଼ ହୁଅନ୍ତି । ଏହି ମତ ପ୍ରକାଶ କରିଛନ୍ତି ନୁ୍ୟୟର୍କସ୍ଥିତ ବିଙ୍ଗହାମଟନ ବିଶ୍ୱବିଦ୍ୟାଳୟ ପ୍ରଫେସର ସୋଲୋମୋନ ପୁଲାଚେକ । ପ୍ରଫେସର ପୁଲାଚେକ ପିଲାଙ୍କ ଭବିଷ୍ୟତ ନିର୍ମାଣରେ ବାପାଙ୍କ ଗୁରୁତ୍ୱ ସମ୍ପର୍କୀତ ବିଷୟବସ୍ତୁ ଉପରେ ଗବେଷଣାରତ ଗବେଷକ ମଣ୍ଡଳୀର ଜଣେ ସଭ୍ୟ ଅଛନ୍ତି । କେବଳ ମା’ଙ୍କ ସହ ପିଲାମାନେ ରହୁଥିବା ୭୧୫ ପରିବାରକୁ ସର୍ଭେରେ ସାମିଲ କରାଯାଇଥିଲା । ଲକ୍ଷ୍ୟ କରାଯାଇଥିଲା ଯେ ବାପାଙ୍କ ପାଖରେ ରହୁଥିବା ପିଲାମାନେ ବେଶି ସୁସ୍ଥସବଳ । ବାପାଙ୍କ ସହ ଅଧିକ ସମୟ କଟାଉଥିବା ପିଲାଙ୍କ ମନରେ ସକାରାତ୍ମକ ଶକ୍ତି ଭରପୂର ଥାଏ । ଏମାନେ କୌଣସି ପ୍ରତିକୂଳ ପରିସ୍ଥିତିକୁ ସାହସର ସହିତ ମୁକାବିଲା କରିପାରନ୍ତି ।