ପୁଣି କନ୍ଦାଇବ କି କରୋନା ? ଓଡ଼ିଶାରେ ଓମିକ୍ରନର ନୂଆ ଭାରିଆଣ୍ଟ BF.7 ଚିହ୍ନଟ

ଭୁବନେଶ୍ୱର: ସାରା ବିଶ୍ୱରେ ପୁଣି ମାଗିବାରେ ଲାଗିଛି କରୋନା । ବିଶ୍ୱରେ କରୋନା ମାମଲା ବଢ଼ୁଥିବା ବେଳେ ଭାରତ ପାଇଁ ଏହା ଏବେ ଚିନ୍ତାର ବିଷୟ ପାଲଟିଛି । ଏହାରି ମଧ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ BF.7 ଓଡ଼ିଶାରେ ଚିହ୍ନଟ ହୋଇଛି । ଓଡ଼ିଶାରେ ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଗୁଜରାଟରେ ୨ ଜଣ ଓ ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ନୂଆ ଭାରିଆଣ୍ଟ ଅକ୍ଟୋବରରେ ଚିହ୍ନଟ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ସଂପ୍ରତି BF.7 ଭାରିଆଣ୍ଟ ଚୀନରେ ଆତଙ୍କ ସୃଷ୍ଟି କରିଛି ।

ଅନ୍ୟପଟେ ଚୀନରେ କରୋନା ମହାମାରୀର ତାଣ୍ଡବ ଜାରି ରହିଥିବା ବେଳେ ଏହାକୁ ନଜରରେ ରଖି ଭାରତ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ସହିତ ମହାମାରୀ ସ୍ଥିତି ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କରୋନା ସ୍ଥିତିକୁ ନେଇ ପ୍ରତି ସପ୍ତାହରେ ବୈଠକ କରିବାକୁ ନିଷ୍ପତି ହୋଇଛି । ଏହା ସହିତ ଭିଡ଼କୁ ଗଲେ ମାସ୍କ ପିନ୍ଧିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।