ପୁଣି ପାକିସ୍ତାନ ଯିବେ ସିଦ୍ଧୁ

ନୂଆଦିଲ୍ଲୀ, ୨୪/୧୧ : ପଞ୍ଜାବ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନବେଯାତ ସିଂହ ସିନ୍ଧୁଙ୍କର ପୁଣି ଥରେ ପାକିସ୍ତାନ ଯିବାର ଯୋଜନା ହୋଇଛି । ସିଦ୍ଧୁଙ୍କୁ କରତାରପୁର ବର୍ଡର କରିଡରର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ପାକିସ୍ତାନ ପକ୍ଷରୁ ଆମନ୍ତ୍ରିତ କରାଯାଇଛି । ସିଦ୍ଧୁ ଏହି ସମାରୋହରେ ଯୋଗଦେବାକୁ ପାକିସ୍ତାନ ଯାଇପାରନ୍ତି ବୋଲି ପାକିସ୍ତାନର ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀ ସୁଚନା ଦେଇଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ କରତାରପୁର କରିଡର ପାଇଁ ନଭେମ୍ବର ୨୮ ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ସେହିଭଳି ନଭେମ୍ବର ୨୬ରେ ଭାରତ ସରକାରଙ୍କ ପ୍ରସ୍ତାବିତ କର୍ତ୍ତାରପୁର କରିଡର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ସୀମାନ୍ତରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।
ତେବେ ଏହି ସମାରୋହରେ ଯୋଗ ଦେବାକୁ ସିଦ୍ଧୁଙ୍କୁ ଖାସ ରୁପରେ ଆମନ୍ତ୍ରିତ କରାଯାଇଥିବାରୁ ସେ ଖୁବ୍‌ ଖୁସୀ ଥିବା ମିଡିଆ ଆଗରେ ପ୍ରକାଶ କରିଛନ୍ତି । ଏହି କରିଡର ଦ୍ୱାରା ପାକିସ୍ତାନର ରବି ନଦୀ କୂଳରେ ଥିବା ଗୁରୁଦ୍ୱାର ଦରବାର ସାହିବକୁ ଶିଖ୍‌ ଶ୍ରଦ୍ଧାଳୁମାନେ ସହଜରେ ଯାତାୟାତ କରିପାରିବେ ।