ବୁଗୁଡା, ୧୩/୧୧ : ଗଞ୍ଜାମ ଜିଲା ବୁଗୁଡାରେ ପୋଲିସ ନ୍ୟସ୍ତସ୍ବାର୍ଥ ରଖି ଓକିଲଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ବୁଗୁଡା ଥାନାକୁ ମଙ୍ଗଳବାର ଦିନ ୧୧ଟାରେ ଏକ ବିବାଦୀୟ ରାସ୍ତା ଲାଗି ହେଉଥିବା ଏକ ବୈଠକରେ ଯୋଗ ଦେବା ଲାଗି ଓକିଲ ହରପ୍ରସାଦ ଦାଶ ଯାଇଥିଲେ। ଥାନାରେ ବିବାଦୀୟ ରାସ୍ତା ସମ୍ପର୍କରେ ଓକିଲ ଦାଶ ଓ ଆଇଆଇସି ରାମଚନ୍ଦ୍ର ବିଶ୍ୱାଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ପରେ ଆଇଆଇସି ଥାନାରେ ଦାଦାଗିରି କରି ଓକିଲଙ୍କୁ ମାଡ ମାରିଥିବା କୁହାଯାଉଛି। ଓକିଲ ଦାଶ ଆହତ ହୋଇ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ପରେ ଏ ବିଷୟ ଓକିଲଙ୍କ ସଙ୍ଘରେ ପହଞ୍ଚିଥିଲା। ବୁଗୁଡା ଓକିଲ ସଂଘର ସଭାପତି ବନବାସୀ ମହାରଣାଙ୍କ ନେତୃତ୍ୱରେ ଓକିଲମାନେ ଥାନା ଅଧିକାରୀଙ୍କୁ ଭେଟି ଏନେଇ ପଚାରିଥିଲେ। ମାତ୍ର ଥାନା ଅଧିକାରୀ ଏହାକୁ ଅସ୍ବୀକାର କରିଥିଲେ। ତେବେ ଓକିଲଙ୍କୁ ଥାନା ଆଇଆଇସି ମାଡ ମାରିବା ନେଇ ଓକିଲ ସଂଘର ଏକ ବୈଠକ ଅପରାହ୍ନରେ ବସିଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂଙ ପକ୍ଷରୁ କୁହାଯାଉଛି। ସେପଟେ ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ କାର୍ଯ୍ୟରେ ଅବହେଳା କରି ଥାନା ଭିତରେ ଓକିଲଙ୍କୁ ମାଡ ମାରିବା ଓ ହତ୍ୟା ଧମକ ଦେବା ନେଇ ସାଧାରଣରେ ଆଲୋଚନା ହେଉଛି। ଘଟଣାକୁ ଓକିଲ ସଂଘ ଗୁରୁତର ସହ ଗ୍ରହଣ କରିଛି।