ପୁଲଓ୍ଵାମା ଆତଙ୍କୀ ହମଲା ପରେ ପାକିସ୍ତାନ ଓ ଚୀନକୁ ଆମେରିକାର ଉପଦେଶ

ଓ୍ଵାଶିଂଟନ,୨୦/୨: ପୁଲଓ୍ଵାମା ଆତଙ୍କୀ ହମଲା ପରେ ଆମେରିକା ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଓ ଚୀନକୁ ଉପଦେଶ ଦେଇଛି। ଟ୍ରମ୍ପ ପ୍ରଶାସନ ଦୁଇ ଦେଶକୁ ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦର ପ୍ରସ୍ତାବ ଆଧାରରେ ନିଜର ଦାୟିତ୍ଵ ନିର୍ବାହ କରିବାକୁ କହିଛନ୍ତି। ଆମେରିକା ସରକାର ସ୍ପଷ୍ଟ କରିଛନ୍ତି ଯେ, ଆତଙ୍କବାଦୀଙ୍କୁ ପ୍ରଶୟ ଦିଅ ନାହିଁ ଏବଂ ସେମାନଙ୍କୁ କୌଣସି ପ୍ରକାର ସହଯୋଗ ମଧ୍ୟ କରନାହିଁ। ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଲଓ୍ଵାମା ହମଲାକୁ ବର୍ବରକାଣ୍ଡ ଦର୍ଶାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭଲ ହେବ ପାକିସ୍ତାନ ଓ ଭାରତ ଏକାଠି କାମ କରନ୍ତୁ।

ଆମେରିକା ନିଜର ବୈଦେଶିକ ବିଭାଗ ଜରିଆରେ ସବୁ ଦେଶକୁ ଆତଙ୍କବାଦୀକୁ ସୁରକ୍ଷା ଓ ସହଯୋଗ ନକରିବାକୁ କହିଛନ୍ତି। ଟ୍ରମ୍ପ ସ୍ପଷ୍ଟ ରୂପେ ଇସଲାମାବାଦ ଓ ପେଇଚିଙ୍ଗକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନେବାକୁ କହିଛନ୍ତି। ପାକିସ୍ତାନ ବର୍ତ୍ତମାନ ସମୟରେ ମିଳିତ ଜାତିସଙ୍ଘ ଦ୍ଵାରା ଘୋଷିତ ଆତଙ୍କବାଦୀଙ୍କ ଶରଣସ୍ଥଳୀ ହୋଇ ସାରିଛି। ଚୀନ କ୍ରମାଗତ ନିଜର ମିତ୍ର ରାଷ୍ଟ୍ର ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ଚାପ ବିରୋଧରେ ଭିଟୋ ବ୍ୟବହାର କରି ଆସିଛି।

ପୁଲଓ୍ଵାମା ଆତଙ୍କୀ ହମଲାରେ ସିଆରପିଏଫର ୪୦ ଯବାନ ସହିଦ ହେବା ପରେ ଗତ ଦିନରେ ହ୍ଵାଇଟ୍ ହାଉସ କହିଥିଲା ଯେ, ଆମେରିକା ସୀମାପାର ଆତଙ୍କବାଦ ବିରୋଧରେ ଭାରତର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରୁଛି। ପୁଲଓ୍ଵାମା ହମଲାରେ ପାକିସ୍ତାନରୁ ସଞ୍ଚାଳିତ ଆତଙ୍କୀ ସଙ୍ଗଠନ ଜୈଶ ଏ ମହମ୍ମଦ ନିଜକୁ ଦାୟୀ କରିଛି। ଏହି ଘଟଣାକୁ ନେଇ ଆମେରିକି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲଟନ ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଫୋନ କରି ଆଲୋଚନା କରିଥିଲେ। ଏହି ସମୟରେ ସେ ସ୍ପଷ୍ଟ ସଙ୍କେତ ଦେଇଥିଲେ ଯେ, ହମଲା ପରେ ଭାରତ ଯାହା ବି କାର୍ଯ୍ୟାନୁଷ୍ଠାନ ନେବ, ତାକୁ ଆମେରିକା ସମର୍ଥନ ଦେବ। ପାକିସ୍ତାନ ଜୈଶ ଏ ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ସଂରକ୍ଷଣ ଦେଇ ଆସୁଛି। ଅନ୍ୟ ପଟେ ଚୀନ ନିଜର ଭିଟୋ କ୍ଷମତା ବଳରେ ମସୁଦକୁକ ବିଶ୍ଵ ଆତଙ୍କୀ ଘୋଷଣା କରିବା ଭାରତର ପ୍ରୟାସରେ ବାଧା ଦେଇ ଆସୁଛି।

ହ୍ଵାଇଟ୍ ହାଉସ ଶୀଘ୍ର ଆତଙ୍କବାଦକୁ ନେଇ ଏକ ବିସ୍ତୃତ ବୟାନ ଜାରି କରିବାକୁ ଯାଉଛି। ପୁଲଓ୍ଵାମା ହମଲା ବିଷୟରେ ପଚରା ଯିବାରୁ ଉତ୍ତରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏହା ଏକ ଭୟାନକ ହମଲା ଥିଲା, ମୁଁ ଏହା ଉପରେ ରିପୋର୍ଟ ଦେଖିଛି। ସଠିକ୍ ସମୟରେ ଟିପ୍ପଣୀ ଦେବି।