ପୁଲିସ ବେଶରେ ଚୋର : ମହିଳାଙ୍କଠାରୁ ଲୁଟିନେଲେ ୭ ଭରି ସୁନା ଅଳଙ୍କାର

0

ବ୍ରହ୍ମପୁର,୧/୮: ପୁଣି ଥରେ ପୁରୁଣା ଷ୍ଟାଇଲରେ ବ୍ରହ୍ମପୁରରେ ମାତିଲେ ଲୁଟେରା ପୁଲିସର ପରିଚୟ ପତ୍ର ଦେଖାଇ ମହିଳାଙ୍କଠୁ ଲୁଟିଛନ୍ତି ଲୁଟେରା। ବ୍ରହ୍ମପୁର ଦଳୁଆସାହି ନିକଟରୁ ମହିଳାଙ୍କଠାରୁ ୭ ଭରି ଓଜନର ସୁନାଚେନ୍ ଓ ମଙ୍ଗଳସୂତ୍ର ନେଇ ଚମ୍ପଟ୍ ମାରିଛନ୍ତି ଦୁର୍ବୃତ୍ତ।

ଆଜି ସକାଳ ସାଢ଼େ୧୧ଟାରେ ଭି.ଭି. ସାରଦା ନାମକ ଜଣେ ମହିଳା ମନ୍ଦିରରରୁ ଫେରୁଥିଲେ। ଏହି ସମୟରେ ୩ ଜଣ ଏକ ବାଇକ୍‌ରେ ଆସି ମହିଳା ଜଣକୁ କହିଥିଲେ ବର୍ତ୍ତମାନ ସୁନା ପିନ୍ଧି ବାହାରକୁ ବାହାଲେ ପୁଲିସ ଫାଇନ୍‌ କରୁଛି। କାଳେ କିଛି ଜରିମାନା ହୋଇଥାଇପାରେ ଏହି ଭୟରେ ମହିଳା ଜଣକ ସୁନା ଚେନ୍‌ ବାହାର କରିଦେଇଥିଲେ।

ଏହି ସମୟରେ କୌଶଳକ୍ରମେ ସେହି ସୁନା ଅଳଙ୍କାର ଗୁଡ଼ିକୁ ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ଏନେଇ ସଦର ଥାନା ପୁଲିସ ଖୋଳତାଡ଼ କରିଛି। ଏହା ପୂର୍ବରୁ ବ୍ରହ୍ମପୁର ଜୟପ୍ରକାଶ ନଗର ଛକରେ ବି ସମାନ ଢଙ୍ଗରେ ଲୁଟ୍ ହୋଇଥିଲା।

ପୂର୍ବରୁ ବ୍ରହ୍ମପୁରରେ ଏଭଳି ଉପାୟରେ ୫ଟି ଲୁଟ୍ ହୋଇଛି। ଗତ ଜାନୁଆରୀ ୨୯ ଓ ଫେବୃଆରୀ ୧୦ତାରିଖରେ ବି ହୋଇଥିଲା ସମାନ ତରିକାରେ ଲୁଟ୍। ସବୁଥିରେ ଏକା ତରିକା। ଲୁଟେରା କେଉଁଠି ନିଜକୁ ପୋଲିସ ତ, କେଉଁଠି ସିବିଆଇ ଅଫିସର ପରିଚୟ ଦେଇ ଲୁଟିଛନ୍ତି । ପୋଲିସ ଏଭଳି ଲୁଟେରାଙ୍କୁ ଧରିବାକୁ ବାଇକ ପାଟ୍ରୋଲିଂ ଓ ସଚେତନତା ପାଇଁ ମାଇକରେ ପ୍ରଚାର କରିଛି। ତା’ ସହ ସହରର ସବୁ ଏଣ୍ଟ୍ରିଂ ପଏଣ୍ଟରେ ବ୍ଲକିଂ ହେଲେ କିଛି ପ୍ରଭାବ ପଡ଼ୁନି।

୬ଟି ମାମଲାରୁ ଗୋଟିକରେ ବି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ପୋଲିସ। ବୁଧବାର ମଧ୍ୟ ଏସ୍‌ପି ଅଫିସରୁ ମାତ୍ର ଶହେ ମିଟର ଦୂରରେ ଥିବା ଏକ ସୁନା ବନ୍ଧକ ରଖି ଟଙ୍କା ଋଣ ଦେଉଥିବା କମ୍ପାନୀ ଭିତରେ ପଶି ୪ ଅଣ ଓଡ଼ିଆଙ୍କୁ ମାଉଜର ଦେଖାଇ ଆକ୍ରମଣ ଓ ଲୁଟ୍ ଉଦ୍ୟମ କରାଯାଇଛି । ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ ସହ ଲୋକଙ୍କୁ ଅଧିକ ସଚେତନତା କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି।

Leave A Reply

Your email address will not be published.