ନୂଆଦିଲ୍ଲୀ,୨୯/୧୧: ପୋଲାଭରମ ପ୍ରକଳ୍ପ ବିବାଦ ମାମଲାର ଜନଶୁଣାଣି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଓ ଛତିଶଗଡରେ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିପାଇଁ ଶନିବାର ସୁଦ୍ଧା ଟର୍ମସ ଅଫ୍ କଣ୍ଡିସନ ଦାଖଲ ପାଇଁ ମଧ୍ୟ କେନ୍ଦ୍ରକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୁପ୍ରିମକୋର୍ଟର ଜଷ୍ଟିସ୍ ମୋଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଦ୍ୱାରା ପୋଲାଭରମ ବିବାଦର ଶୁଣାଣି ହୋଇଥିଲା । ମାମଲାରେ ପକ୍ଷଭୁକ୍ତ ଥିବା କେନ୍ଦ୍ର ସରକାର, ପୋଲାଭରାମ କର୍ତ୍ତୃପକ୍ଷ, ଓଡ଼ିଶା ସରକାର ଓ ତେଲେଙ୍ଗାନାର ସାମାଜିକ ସଙ୍ଗଠନ ରେଲା ନିଜର ପକ୍ଷ ରଖିଥିଲେ। ଆଜିର ଶୁଣାଣିକୁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ସହକାରେ ନେଇ ଓଡ଼ିଶା ଓ ଛତିଶଗଡରେ ଜନଶୁଣାଣି ହେଉ ବୋଲି କହିଥିଲେ। ବିନା ଜନଶୁଣାଣିରେ କିଛି ହୋଇପାରବନି ବୋଲି କହିଥିଲେ କୋର୍ଟ। ଏହାସହ ଦୁଇ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଟର୍ମସ ଅଫ୍ କଣ୍ଡିସନ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ଦୁଇ ରାଜ୍ୟରେ ଜନଶୁଣାଣି ପରେ ପ୍ରକଳ୍ପ ବନ୍ଦ ହେବ କି ନାହିଁ ପରେ ନିର୍ଦ୍ଦେଶ ଦିଆଯିବ। ଆସନ୍ତା ଡିସେମ୍ବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।