ବଜ୍ରପାତର ପ୍ରାକ୍‌ ସୂଚନା ଦେବ ଆପ୍‌

କେନ୍ଦ୍ରସରକାର ଓ ପୃଥିବୀ ବିକାଶିତ ମନ୍ତ୍ରାଳୟ ଦ୍ୱାରା ଏକ ଆପ୍‌ର ଉଦ୍ଭାବନ କରାଯାଇଛି, ଯିଏ ବଜ୍ରପାତ ହେବାର ୩୦-୪୦ ମିନିଟ୍‌ ପୂର୍ବରୁ ସୂଚନା ଦେବ । ଏହି ଆପ୍‌କୁ ‘ଦାମିନୀ’ କୁହାଯାଉଛି । ଏହି ଆପ୍‌ କେବଳ ବଜ୍ରପାତ ସୂଚାଇବ ତାହା ନୁହେଁ ପୂର୍ବରୁ ସତର୍କ ମଧ୍ୟ କରିବ । ଏହାକୁ ଗୁଗଲ୍‌ ପ୍ଲେ ଷ୍ଟୋରରେ ଡାଉନ୍‌ଲୋଡ କରାଯାଇପାରିବ । ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଟ୍ରପିକାଲ ମେଟ୍ରୋଲୋଜି (ଆଇଆଇଟିଏମ୍‌) ଦ୍ୱାରା ବିକଶିତ ଏହି ଆପ୍‌ରେ ୬ ମାସ କାର୍ଯ୍ୟ କରାଯାଇଥିଲା । ଏହି ଟିମ୍‌ରେ ଥିବା ବରିଷ୍ଠ ବୈଜ୍ଞାନିକ ଡ. ସୁନୀଲ ପାୱାରଙ୍କ ମତରେ, ଏହି ଆପ୍‌ ବଜ୍ରପାତର ଚେତାବନୀ ସହ ସୁରକ୍ଷା ସୂଚନା ଯେପରିକି, କିପରି ନିଜକୁ ରକ୍ଷା କରିବା,ଡାକ୍ତରୀ ଉପଚାର, କ୍ଷେତରେ କାମ କରିବା ସମୟରେ ସତର୍କ କିପରି ରହିବେ, ଯାତ୍ରା କରିବା ସମୟରେ ସତର୍କତା ଏସବୁ ବିଷୟରେ ସୂଚନା ଦେବ । ପ୍ରାଥମିକ ପର୍ଯ୍ୟାୟରେ ଆପ୍‌ଟି ଇଂରାଜୀ ଓ ହିନ୍ଦୀ ଭାଷାରେ ପରିଚାଳିତ ହେବ । ପରେ ଅନ୍ୟ ଆଞ୍ଚଳିକ ଭାଷାରେ କାର୍ଯ୍ୟ କରିପାରିବ ବୋଲି ଜଣାପଡିଛି । ଭାରତ ଏକ କୃଷି ପ୍ରଧାନ ଦେଶ । ଏଠାରେ ନିଜ ପରିଶ୍ରମରେ ମଞ୍ଜି ବୁଣି ଫଳର ଆହରଣ କରାଯାଏ । ତେଣୁ କୃଷକ ଦିନରାତି ଏକ କରି ଚାଷ ଜମିରେ କଠିନ ପରିଶ୍ରମ କରିଥାଏ । ଭାରତରେ ବଜ୍ରାଘାତଜନିତ ମୃତୁ୍ୟର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ୨୦୧୭ ସୁଦ୍ଧା ପାଖାପାଖି ୩ ହଜାର ମୃତୁ୍ୟ ବଜ୍ରାଘାତ ଜନିତ ହୋଇଥିବା ଜଣାପଡିଛି । ତେଣୁ କୃଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।