ବଜ୍ରପାତ ଘଟି ଦମ୍ପତିଙ୍କ ମୃତ୍ୟୁ

କେନ୍ଦୁଝର,୧୭/୭: ଆଜି ୨ଟି ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ହରିଚନ୍ଦନପୁର ବ୍ଲକ ବଡ଼ସିଆଳିମାଳ ଗାଁରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଠାକୁରପଡ଼ା ଗାଁରେ ବଜ୍ରାଘାତରେ ଜଣକର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତରଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ଅପରାହ୍ନରେ ହଠାତ୍‌ ଘଡଘଡି ସହ ବର୍ଷା ହୋଇଥିଲା। ଏହି ସମୟରେ ନିଜ ବିଲ ଠାକୁରପଡାରେ କାମ କରୁଥିବା ବେଳେ ଜୟନ୍ତୀ ମହାନ୍ତଙ୍କ ମୃତ୍ୟୁ ଘଟିଥିଲା। ସେହିପରି ବଡ ଶିଆଳି ମାଳରେ ଧାନ କାମ କରୁଥିବା ଚୈତନ୍ୟ ମହାନ୍ତ ଓ ତାଙ୍କ ପତ୍ନୀ ମିନା ମହାନ୍ତଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଏଥିରେ ଜଣେ ଶ୍ରମିକ ଲାବଣ୍ୟବତୀ ମହାନ୍ତ ଗୁରୁତର ହୋଇ ପଡ଼ିଥିଲେ ।

କିନ୍ତୁ ଲାବଣ୍ୟବତୀ ନିଜର ଧର୍ଯ୍ୟ ନ ହରାଇ ବହୁ କଷ୍ଟରେ ଗାଁରେ ଖବର ଦେଇଥିଲେ । ପରେ ଗାଁ ଲୋକଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ଏମାନଙ୍କୁ ଉଧାର କରିଥିଲା ।

ଏପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୀଷଣ ବଜ୍ରପାତ ନେଇ ସତର୍କ ସୂଚନା କରାଯାଇଛି। ବିଶେଷକରି ତେଲକୋଇ, ବାଂଶପାଳ, ପାଲଲହଡ଼ା, ଲହୁଣିପଡ଼ା ଆଦି ଅଞ୍ଚଳ ପାଇଁ ଆଲର୍ଟ ଜାରି କରାଯାଇଛି। ସେହିଭଳି ବାରକୋଟ, ପାଟଣା, ଘଟଗାଁ, ଆନନ୍ଦପୁର, କଙ୍କଡ଼ାହାଡ଼ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

SBI_Festive_Digital Billboard