ବାରଣାସୀରୁ ମୋଦୀଙ୍କ ବିରୋଧରେ ଲଢି ପାରନ୍ତି ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୬/୪: ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହା ମଧ୍ୟରେ ରବର୍ଟ ଭଦ୍ରା ଇସାରା କରିଛନ୍ତି ଯେ, ବାରଣାସୀରୁ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଇଦାନକୁ ଓହ୍ଲାଇ ପାରନ୍ତି। ଭଦ୍ରା କହିଛନ୍ତି ଯେ, ପ୍ରିୟଙ୍କା ବାରଣାସୀରୁ ଲଢିବାକୁ ପ୍ରସ୍ତୁତ ଅଛନ୍ତି। ମାତ୍ର ଏହା ଉପରେ ଅନ୍ତିମ ନିଷ୍ପତ୍ତି ପାର୍ଟି ନେବ। ଆମେ ପୂରା ପରିଶ୍ରମ ସହିତ କାମ କରିବୁ ବୋଲି ଭଦ୍ରା କରିଛନ୍ତି।

ଏହା ମଧ୍ୟ କୁହାଯାଉଛି ଯେ, ବାରଣାସୀରେ କଂଗ୍ରେସର ଏକ ଟିମ୍ ତୃଣମୂଳସ୍ତରର ଅବସ୍ଥା ପରଖୁଛନ୍ତି। ଏହା ଜାଣିବାକୁ ପ୍ରୟାସ କରାଯାଉଛି ଯେ, ଯଦି ପ୍ରିୟଙ୍କା ଗାନ୍ଧୀ ଏଠାରୁ ନିର୍ବାଚନ ଲଢନ୍ତି ତେବେ ବାକି ଦଳଗୁଡିକର ଆଭିମୁଖ୍ୟ କଣ ରହିବ। ଅନ୍ୟ ଦଳ କଂଗ୍ରେସକୁ ସମର୍ଥନ କରିବେ ନା ନାହିଁ ତାକୁ ନେଇ ଏକ ଟିମ୍ ସୂଚନା ସଂଗ୍ରହ କରୁଛି।

କିଛି ଦିନ ପୂର୍ବେ ପାର୍ଟିର ମହାସଚିବ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ଅଛନ୍ତି। ତାଙ୍କର ବାରଣାସୀରୁ ନିର୍ବାଚନ ଲଢିବା ବହୁତ ମହତ୍ଵ ବହନ କରୁଛି। କାରଣ ଏହି ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଲଢୁଛନ୍ତି। ୨୦୧୪ରେ ମୋଦୀ ପ୍ରଥମ ଥର ଏଠାରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏଥର କଂଗ୍ରେସ ବାରଣାସୀ ଲଢେଇକୁ ମୋଦୀ ବନାମ ପ୍ରିୟଙ୍କା କରିବାକୁ ଚେଷ୍ଟା କରିପାରେ। ବାରଣାସୀରେ ଅନ୍ତିମ ପର୍ଯ୍ୟାୟ ଅର୍ଥାତ ମେ ୧୯ରେ ମତଦାନ ହେବ। ଏଠାରୁ ମୋଦୀ ଏପ୍ରିଲ ୨୬ରେ ନାମାଙ୍କନ ଦାଖଲ କରି ପାରନ୍ତି।