ଶ୍ରୀନଗର,୨୬/୨: ଭାରତୀୟ ବାୟୁସେନାର ଆକ୍ରମଣାତ୍ମକ କାର୍ୟ୍ୟା ନୁଷ୍ଠାନ ପରେ ବିଚଳିତ ହୋଇ ଉଠିଛି ପାକିସ୍ତାନ। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜରୁରୀକାଳୀନ ବୈଠକ ପରେ ସେଠାକାର ସେନା ଓ ବୈଦେଶିକ ମନ୍ତ୍ରୀ ଭାରତକୁ ଚେତାବନୀ ଦେଇଥିବା ବେଳେ ଅନ୍ୟ ପଟେ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ବିନା କାରଣରେ ଗୁଳିମାଡ଼ ଆରମ୍ଭ କରି ଦେଇଛନ୍ତି। ପାକିସ୍ତାନ ପକ୍ଷରୁ ଜାମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖାରେ ମଙ୍ଗଳବାର ସନ୍ଧ୍ୟାରେ ନୌସେରା, ରାଜୌରୀ ଓ ଅଖନୁର ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରାଯାଇଛି। କେବଳ ଏତିକି ନୁହେଁ, ପାକିସ୍ତାନୀ ସେନା ମେଣ୍ଢର ଓ ପୁଞ୍ଛ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ମଧ୍ୟ ଗୁଳିମାଡ଼ କରିଛନ୍ତି। ପାକିସ୍ତାନୀ ରେଞ୍ଜର୍ସର ଏହି ଦୁଃସାହସିକକୁ ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଉଛନ୍ତି।
ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ଆତଙ୍କୀ ସଂଗଠନ ଜୈସ ଇ ମହମ୍ମଦର ଆଡ୍ଡା ଉପରେ ଭାରତ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ ପରେ ପାକ୍ ସରକାର ଉତ୍ତେଜିତ ହୋଇ ଉଠିଛି। ଭାରତର କାର୍ୟ୍ୟା ନୁଷ୍ଠାନ ପରେ ପିଏମ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ନ୍ୟାସନାଲ ସିକ୍ୟୁରିଟି କମିଟିର ବୈଠକ ହୋଇଛି। ଏହା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରୈସୀ ଭାରତ ପକ୍ଷରୁ ହୋଇଥିବା ଏହି ହମଲାରେ ବଡ଼ ସଂଖ୍ୟାରେ ଆତଙ୍କୀ ମରିଥିବା ଖବରକୁ ଖଣ୍ଡନ କରିଛନ୍ତି। ସେ ଭାରତର କାର୍ୟ୍ୟା ନୁଷ୍ଠାନ ଉପରେ ଜବାବ ଦେବା ପାଇଁ ପାକିସ୍ତାନ ସମୟ ଓ ସ୍ଥାନ ନିଜ ହିସାବରେ ସ୍ଥିର କରିବ ବୋଲି କହିଛନ୍ତି।
