ବିଜାପୁରରେ ଆଇଇଡି ବିସ୍ପୋରଣ, ୬ ଗୁରୁତର

ଛତିଶଗଡ, ୧୪/୧୧: ଛତିଶଗଡରେ ଆତଙ୍କବାଦୀମାନେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି । ନକ୍ସଲମାନେ ବିଜାପୁର ଜିଲ୍ଲାଠାରେ ଆଇଇଡି ବିସ୍ପୋରଣ କରିଛନ୍ତି । ଏହି ଆକ୍ରମଣରେ ୪ ବିଏସଏଫ ଯବାନଙ୍କ ସମେତ ଜଣେ ଡିଆରଜି ଓ ଜଣେ ସ୍ଥାନୀୟ ବ୍ୟକ୍ତି ଆହାତ ହୋଇଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲାଠାରୁ ପ୍ରାୟ ୭ କିମି ଦୂର ମହାଦେବ ଘାଟିଠାରେ ଆତଙ୍କବାଦୀମାନେ ଆଇଇଡି ବିସ୍ପୋରଣ ଘଟାଇଛନ୍ତି । ଏହି ଘଟଣାରେ ୪ ଜଣ ବିଏସଏଫ ଯବାନ, ଜଣେ ଡିଆରଜି ଏବଂ ଜଣେ ସଧାରଣ ନାଗରିକ ଗୁରୁତର ଭାବରେ ଆହାତ ହୋଇଥିବା ଜଣାପଡିଛି । ତେବେ ସେମାନଙ୍କୁ ତୁରନ୍ତ ବିଜାପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନ୍ୟପକ୍ଷରେ ବିସ୍ପୋରଣ ପରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରୀ ରହିଥିବା ବିଜାପୁର ଏସପି ମୋହିତ ଶର୍ମା ସୂଚନା ଦେଇଛନ୍ତି । ଛତିଶଗଡରେ ବିଧାନସଭା ପାଇଁ ନିର୍ବାଚନ ଜାରି ରହିଛି । ଗତ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ନକ୍ସଲମାନେ ଏହାକୁ ରୋକିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଏଥିରେ ବିଫଳ ହୋଇଥିଲେ ।