ଭୁବନେଶ୍ୱର, ୨୪/୧୨: ଭଦ୍ରକ ଜିଲା ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବହୁ ପ୍ରମୁଖ ବ୍ୟକ୍ତି ଏବଂ ସାଧାରଣ କର୍ମୀ ରବିବାର ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ନୂତନ ଭାବେ ବିଜେଡିରେ ସାମିଲ ହୋଇଥିବା ବ୍ୟକ୍ତିବିଶେଷ ମଧ୍ୟରେ ବାଲେଶ୍ୱର କଲେଜ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଅଧ୍ୟକ୍ଷ ମନ୍ମଥ କୁମାର ବିଶ୍ୱାଳ, ଜୟନ୍ତ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ, ରାମଚନ୍ଦ୍ର ଜେନା, ସ୍ଵପ୍ନାରାଣୀ ପଣ୍ଡା, ରମାକାନ୍ତ ସାହୁ, ରବି ପାଣିଗ୍ରାହୀ ଏବଂ ନଟବର ବାରିକ ପ୍ରମୁଖ। ଏତଦ୍ ବ୍ୟତୀତ ଧାମନଗର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ଏବଂ ତିହିଡ଼ି ବ୍ଲକର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ହଜାରେରୁ ଊର୍ଦ୍ଧ୍ୱ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଭଦ୍ରକ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ସାମିଲ ହୋଇଥିବା ସମସ୍ତ ନେତା ଓ କର୍ମୀଙ୍କୁ ଧନ୍ୟବାଦ ।