ଭୁବନେଶ୍ୱର,୧୫/୭ : ବିଧାୟକ ଓ ମନ୍ତ୍ରୀମାନଙ୍କୁ ଶୃଙ୍ଖଳା ଓ ଉତ୍ତରଦାୟିତ୍ୱର ପାଠ ପଢ଼ାଇବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଲୋକ ସଭା ଏବଂ ରାଜ୍ୟ ସଭା ସଦସ୍ୟମାନଙ୍କୁ ରବିବାର ପତ୍ର ଲେଖି ଅନେକ ପରାମର୍ଶ ଦେଇଛନ୍ତି। ଏମ୍ପିମାନେ ନିଜର ସଂସଦୀୟ ଦାୟିତ୍ୱ ନିର୍ବାହ କରିବା ସହ ନିଜ ନିଜ ଅଞ୍ଚଳ ବୁଲି ଲୋକଙ୍କ କାର୍ଯ୍ୟ କରୁଛନ୍ତି। ସେମାନେ ଆସନ୍ତା ଅଗଷ୍ଟ ମାସରୁ ପ୍ରତି ଦୁଇ ମାସରେ ଥରେ ୧୦ ତାରିଖ ସୁଦ୍ଧା ନିଜ ରିପୋର୍ଟ କାର୍ଡ ଲିଖିତଭାବେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟଗୁଡ଼ିକର ସମୀକ୍ଷା କରାଯିବା ସହ ମୁଖ୍ୟମନ୍ତ୍ରୀ ଏମ୍ପିମାନଙ୍କୁ ପରାମର୍ଶ ଦେବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି।
ଏତଦ୍ବ୍ୟତୀତ ବିଜେଡି ସଭାପତି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟବାସୀଙ୍କ ଆଶା, ଆକାଂକ୍ଷା ପୂରଣ ତଥା ସ୍ବାର୍ଥ, ସ୍ବାଭିମାନ ପାଇଁ ଦଳର ନିରନ୍ତର ପ୍ରୟାସ ହିଁ ବିଜେଡିକୁ ୫ମଥର ପାଇଁ କ୍ଷମତାସୀନ କରାଇଛି। ଲୋକ ସଭାରେ ମଧ୍ୟ ରାଜ୍ୟରୁ ବିଜେଡି ସର୍ବାଧିକ ଆସନରେ ବିଜୟୀ ହୋଇଛି। ତେଣୁ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବିଜେଡିର ଉତ୍ତରଦାୟିତ୍ୱ ସର୍ବାଧିକ ବୋଲି ନବୀନ କହିଛନ୍ତି।
