ଭୁବନେଶ୍ୱର ,୧୮/୧୨: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳ କୃଷିକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମନେହେଉଛି। ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସି କୃଷି ଋଣ ଛାଡ଼ କରିବା ପରେ ଓଡ଼ିଶା କଂଗ୍ରେସ ମଧ୍ୟ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବା ନେଇ ଦଳର ମୁଖିଆ ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେହିପରି ଆଞ୍ଚଳିକ ଦଳ ବିଜେଡ଼ି ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ଜାନୁଆରୀ ୮ରେ ଧାନର ଏମଏସପି ମୂଲ୍ୟ ବୃଦ୍ଧି ନେଇ ସଂସଦ ଆଗରେ ବିକ୍ଷୋଭ କରିବା ନେଇ ନିଷ୍ପତି ନେଇଛି। ଏହା ମଧ୍ୟରେ ରାଜ୍ୟ ବିଜେପି ମଧ୍ୟ ଆଜି ଏକ ପ୍ରେସମିଟରେ ରାଜ୍ୟବ୍ୟାପୀ ମଣ୍ଡି ଘେରାଉ ଆନ୍ଦୋଳନ ଡାକରା ସହିତ କ୍ଷମତାକୁ ଆସିଲେ ଓଡିଶାବାସୀଙ୍କୁ କୃଷି ଋଣ ଛାଡ୍ ପ୍ରତିଶ୍ରୁତି ଦେଇଛି। ଅନ୍ୟପକ୍ଷେ ବିଜେପିର ମଣ୍ଡି ଘେରାଉ ଆନ୍ଦୋଳନ ଡାକରାର ଜବାବ ରଖିଛି ବିଜେଡି।
ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସାରା ଓଡ଼ିଶାରେ ମଣ୍ଡିରେ ଅବ୍ୟବସ୍ଥା ପରିଲିକ୍ଷିତ ହୋଇଥିବା ଅଭିଯୋଗ ଆଣିଛନ୍ତି। ସେ ଆଜି ଠାରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ମଣ୍ଡି ଚାଲ ଅଭିଯାନ କରିବା ନେଇ ଦଳୀୟ କର୍ମୀଙ୍କୁ ଆହ୍ୱାନ ଜଣାଇଛନ୍ତି। ଏହି ଅଭିଯାନରେ ସବୁ ମଣ୍ଡି ଆଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ସେ କହିଛନ୍ତି। ବିଜେପି ସଭାପତି ଶ୍ରୀ ପଣ୍ଡା କହିଛନ୍ତି ରାଜ୍ୟ ସରକାର ଓ ମିଲରଙ୍କ ଭିତରେ ମଧୁଚନ୍ଦ୍ରିକା ଚାଲିଛି। ନିର୍ବାଚନ ଖର୍ଚ୍ଚ ମିଲରଙ୍କ ଠାରୁ ଉଠାଇବାକୁ ରାଜ୍ୟ ସରକାରଙ୍କ ଯୋଜନା ରହିଛି। କୃଷି ଋଣ ଛାଡ଼ ଦାବିରେ ଆସନ୍ତା ୮ ତାରିଖରେ ସଚିବାଳୟ ଘେରାଉ କରାଯିବ । ଏତଦବ୍ୟତିତ ବିଜେପି କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ସହ ସୁଧ ମୁକ୍ତ ଋଣ ଦିଆଯିବ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।