ବିଜେପି ସରକାର ଆସିଲେ ଅଙ୍ଗନବାଡୀ କର୍ମୀଙ୍କ ଦରମା ୧୫ ହଜାର ଟଙ୍କା ହେବ : ଧର୍ମେନ୍ଦ୍ର ପ୍ରଧାନ

ନବରଙ୍ଗପୁର,୪/୪: ଦିଲ୍ଲୀ ଓ ଓଡିଶାରେ ନରେନ୍ଦ୍ର ମୋଦିଙ୍କ ସରକାର ହେଲେ ଆଗାମୀ ୫ ବର୍ଷ ମଧ୍ୟରେ ସବୁ ଗରିବଙ୍କୁ ସ୍ଥାୟୀ ପଟ୍ଟା, ପକ୍କା ଘର ଦିଆଯିବ । ନବରଙ୍ଗପୁରରେ ଜଣେ ବି ଗରିବ ନାହିଁ, ଯା ଘରେ ପକ୍କା ଛାତ ନଥିବ । ସେହିପରି ନବୀନ ପଟ୍ଟନାୟକଙ୍କ ସରକାରରେ ଅଙ୍ଗନବାଡି କର୍ମୀଙ୍କୁ ଅବହେଳିତ କରାଯାଇଥିବା ବେଳେ ବିଜେପିର ସରକାର କେନ୍ଦ୍ର ଓ ଓଡିଶାରେ ହେଲେ ଅଙ୍ଗନବାଡୀ କର୍ମୀଙ୍କୁ ମାସିକ ୧୫, ୦୦୦ ଟଙ୍କା ଦରମା ଦିଆଯିବା ସହ ଅଙ୍ଗନବାଡୀ ସହାୟିକାଙ୍କ ଦରମା ୯ ହଜାର କରାଯିବ । ଏହାବ୍ୟତିତ ଜଳ ସେଚନ ପାଇଁ ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ଫଣ୍ଡର ବ୍ୟବସ୍ଥା କରାଯିବ ତଥା ନବରଙ୍ଗପୁରକୁ ଇନ୍ଦ୍ରାବତୀ ନଦୀର ଜଳ ପହଁଚେଇବାର ବ୍ୟବସ୍ଥା କରାଯିବ, ପଛୁଆ ଅଂଚଳକୁ ବିକଶିତ କରିବା ପାଇଁ ପାଣ୍ଠି ତିଆରି କରାଯିବ ଏବଂ ନବରଙ୍ଗପୁର ଅଂଚଳରେ ଅତ୍ୟାଧୁନିକ ମେଡିକାଲ ଗରିବଙ୍କ ସେବା ପାଇଁ ସ୍ଥାପନା କରାଯିବ ବୋଲି ନବରଙ୍ଗପୁର ଜିଲ୍ଲା ପୂଜାରିଗୁଡାରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ନଦୀ ପ୍ରମୁଖ ହୋଇଥିଲେ ମଧ୍ୟ ଇନ୍ଦ୍ରାବତୀର ନଦୀ ଜଳ ଜିଲ୍ଲରେ ପହଁଚିପାରି ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଇନ୍ଦ୍ରାବତୀ ଜଳ ସେଚନ ପାଇଁ ଶୁଭ ଦେଇଥିଲେ ମଧ୍ୟ ବସ୍ତାଏ ସିମେଂଟର କାମ ଆରମ୍ଭ ହୋଇନାହିଁ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାକୁ ରେଳ ଲାଇନକୁ ଅନୁମତି ମୋଦି ସରକାର ଦେଲେ । ମାତ୍ର ନବୀନ ସରକାର ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଦେଉନାହାନ୍ତି । ନରେନ୍ଦ୍ର ମୋଦିଙ୍କ ଲୋକ ପ୍ରିୟତା କାରଣରୁ ନବୀନ ବାବୁ ରେଳ ଲାଇନର କାମ କରେଇ ଦେଉନାହାନ୍ତି । ଏଥିରେ ନବୀନ ପଟ୍ଟନାୟକ ନକଲି ଓଡିଆଙ୍କ ଘେରରେ ରହି ସାଂକେତିକ ନିର୍ବାଚନୀ ପ୍ରଚାରରେ ଓଡିଶା ପାଇଁ ନରେନ୍ଦ୍ର ମୋଦି କିଛି କରିନଥିବା କହୁଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ୧୯ ବର୍ଷ ଶାସନରେ ନବରଙ୍ଗପୁର ଜିଲ୍ଲାରେ ଶୁଦ୍ଧ ପିଇବା ପାଣି ନାହିଁ, ବିଜୁଳି ନାହିଁ, ଡାକ୍ତର ନାହାନ୍ତି, ଶିକ୍ଷକଙ୍କୁ ଦରମା ଦେବାକୁ ପଇସା ନାହିଁ, ଚାଷର ସୁବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ, ଜିଲ୍ଲାରେ କୁପୋଷଣ ଗମ୍ଭୀର ଅବସ୍ଥାରେ ଅଛି, ଲୋକମାନେ କାମ କରିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ।

ରାଜ୍ୟ ସରକାରଙ୍କ ପାଖରେ କାଳିଆ ଯୋଜନାର ତାଲିକା ନାହିଁ, ବଜେଟରେ ଟଙ୍କାର ବ୍ୟବସ୍ଥା ନାହିଁ । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାପା, ବିକ୍ରମ ଆରୁଖ ଓ ସୁଶାନ୍ତ ସିଂହଙ୍କ ଭାଇ କାଳିଆର ଲାଭ ପାଇଲେ । ଓଡିଶାର ଗରିବ ଚାଷୀଙ୍କୁ କାଳିଆ ମିଳିନାହିଁ । ଶାସକ ଦଳର ଲୋକମାନଙ୍କ ନାଁ ସରକାରୀ ସୁବିଧାରେ ରହୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

SBI_Festive_Digital Billboard