ଭୁବନେଶ୍ୱର,୧୭/୧୧: ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ଅଚଳ ରହିବା ପରେ ଦ୍ୱିତୀୟ ଦିନ ଆରମ୍ଭରୁ ସ୍ୱାଭାବିକ ରହିଥିଲା । ତେବେ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ପଚାରୀଥିବା ପ୍ରଶ୍ନର ଉତ୍ତର ରଖିବାକୁ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀଙ୍କୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ମିଳିଥିଲା । ମାତ୍ର ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଦେଇଥିବା ପାଣ୍ଠିର ଖର୍ଚ୍ଚକୁ ନେଇ ମନ୍ତ୍ରୀ ରଖିଥିବା ଉତ୍ତରରେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସନ୍ତୁଷ୍ଟ ହୋଇ ପାରି ନ ଥିଲେ । ମନ୍ତ୍ରୀ ଭୁଲ ଉତ୍ତର ରଖୁଥିବା ଅଭିଯୋଗ କରିଥିଲେ । କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ହଙ୍ଗାମା କରିଥିଲେ । ମାତ୍ର ପରିସ୍ଥିତି ଶାନ୍ତ ନ ହେବାରୁ ବାଚସ୍ପତି ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।