ବିଧାନସଭା ବଜେଟ ଅଧିବେଶନ ଆରମ୍ଭ : ଚାଷୀ, ଚିଟ୍ଫଣ୍ଡ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, ଅପରାହ୍ନ ଯାଏ ଗୃହ ମୁଲତବୀ
ଭୁବନେଶ୍ୱର, ୫/୨: ଚାଷୀ ଓ ଚିଟ୍ଫଣ୍ଡ ପ୍ରସଙ୍ଗକୁ ନେଇ ଦ୍ୱିତୀୟ ଦିନରେ ବିଧାନସଭା ଅଚଳ ହୋଇଛି। ବିରୋଧୀ କଂଗ୍ରେସ ଚାଷୀମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ଋଣ ଛାଡ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା କରିଥିବା ବେଳେ ଭାଜପା ଚିଟ୍ଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲା। ଉଭୟ ଦଳର ହଟ୍ଟଗୋଳ ଯୋଗୁ ବିଧାନସଭାର ଗୃହକାର୍ଯ୍ୟ ଚାଲିପାରି ନ ଥିଲା। ମାତ୍ର ୧୦ ମିନିଟ ପରେ ବାଚସ୍ପତି ଗୃହକୁ ୨ଟି ପର୍ଯ୍ୟାୟରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ।
ପୂର୍ବାହ୍ନ ୧୦ଟା ୩୦ମିନିଟରେ ସଭାକାର୍ଯ୍ୟ ଚଳାଇବା ପାଇଁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ପ୍ରବେଶ କରିଥିଲେ। ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶୋକ ପ୍ରସ୍ତାବ ପରେ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି, ପ୍ରଫୁଲ୍ଲ ମାଝି, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା, ଦେବେନ୍ଦ୍ର ଶର୍ମା, ରିରଞ୍ଜୀବ ବିଶ୍ୱାଳ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ଚାଷୀ ପ୍ରସଙ୍ଗ ଉଠାଇଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା କରିବା ପାଇଁ ଦାବି କରିଥିଲେ। ଏଥିସହିତ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଭଳି କୃଷି ଋଣ ଛାଡ କରିବା ନେଇ ସରକାରଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ଭାଜପା ସଦସ୍ୟ ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ବିଭୂତି ଭୂଷଣ ହରିଚନ୍ଦନ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ଚିଟ୍ଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ। ସିବିଆଇ ତଦନ୍ତକୁ ବିରୋଧ କରିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳ ମିଳାଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଉଭୟ ମୁଖ୍ୟମନ୍ତ୍ରୀଙ୍କ ନାମ ଲେଖା ଥିବା ଗାଉନ୍ ପିନ୍ଧି ଗୃହର ମଧ୍ୟଭାଗରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶୋତ୍ତର କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଉଦ୍ୟମ କରିଥିଲେ। ଜଳ ସମ୍ପଦ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପାଟିତୁଣ୍ଡ ମଧ୍ୟରେ ଲେଖା ଉତ୍ତର ପଢ଼ି ଚାଲିଥିଲେ। ଗୋଟିଏ ପଟେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟପଟେ ବିରୋଧୀଙ୍କ ହଟ୍ଟଗୋଳ ବିଧାନସଭାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରବଳ ହଟ୍ଟଗୋଳ ଯୋଗୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚଳାଇବା ବାଚସ୍ପତିଙ୍କ ପକ୍ଷେ ସମ୍ଭବ ହୋଇ ନ ଥିଲା। ବାଧ୍ୟହୋଇ ସେ ଗୃହକୁ ୧୦ଟା ୪୦ରୁ ୧୧ଟା ୪୦ ୧ ଘଣ୍ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୪୦ରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପରିସ୍ଥିତିରେ କୌଣସି ସୁଧାର ହୋଇ ନ ଥିଲା। ଉଭୟ କଂଗ୍ରେସ ଓ ଭାଜପା ଗୃହର ମଧ୍ୟ ଭାଗକୁ ଆସି ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାଧ୍ୟହୋଇ ଗୃହକୁ ୧୧ଟା ୪୨ରୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ଅପରାହ୍ନ ୩ଟାରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ସେହି ସମାନ ପରିସ୍ଥିତି ପୁଣି ଉପୁଜିଥିଲା। ଗୃହରେ ବିରୋଧୀଙ୍କ ଆକ୍ରମଣାତ୍ମକ ମୁଡ୍ ଦେଖି ବାଚସ୍ପତି ୩ଟା ୨ରୁ ୩ଟା ୩୨ଯାଏ ଗୃହକୁ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ କୌଣସି ନିର୍ଯ୍ୟାସ ବାହାରି ନ ପାରିବାରୁ ଗୃହକୁ ଆହୁରି ୩୦ ମିନିଟ ଅର୍ଥାତ୍ ୪ଟା ୨ ମିନିଟ ଯାଏ ମୁଲତବୀ ଘୋଷଣା କରାଯାଇଛି।