ବିବାଦରୁ ପ୍ରିୟାଙ୍କ ବଲିଉଡ୍‌ କ୍ୟାରିୟର୍‌ ଆରମ୍ଭ

ବଲିଉଡ୍‌ରେ ଡେବୁ୍ୟ କରିବାକୁ ଯାଇଛନ୍ତି ନାସ୍‌ନାଲ୍‌ କ୍ରସ୍‌ ପ୍ରିୟା ପ୍ରକାଶ ୱାରିଅର । ପ୍ରିୟାଙ୍କ ଡେବୁ୍ୟ ଫିଲ୍ମର ନାଁ ହେଉଛି ‘ଶ୍ରୀଦେବୀ ବଙ୍ଗଲୋ’ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହାଇଯାଇଛି । ଫିଲ୍ମର ଟ୍ରେଲର ସୋସାଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ମଧ୍ୟ ଲାଗିଛି । ଫିଲ୍ମର ଟ୍ରେଲର ଦେଖି ଲୋକଙ୍କୁ ଲାଗୁଛି ଯେ, ଏହି ଫିଲ୍ମଟି ଶ୍ରୀଦେବୀଙ୍କ ଜୀବନୀ ଉପରେ ନିର୍ମାଣ କରାଯାଇଛି । ଟ୍ରେଲରରେ ଏମିତି ଗୋଟଏ ସିନ୍‌ ରହିଛି ଯାହାକୁ ଦେଖିଲେ ଲାଗୁଛି ଫିଲ୍ମଟି ଶ୍ରୀଦେବୀଙ୍କ ଜୀବନୀ ଉପରେ ଆଧାରିତ ବୋଲି । ତେବେ ସେହି ସିନ୍‌ଟି ହେଉଛି ମୁଖ୍ୟ ଚରିତ୍ରର ମୃତଦେହ ଏକ ବାଥ୍‌ଟବ୍‌ରୁ ମିଳୁଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । କାରଣ ସ୍ୱର୍ଗତ ବଲିଉଡ୍‌ ନାୟିକା ଶ୍ରୀଦେବୀ (ମିସ୍‌ ହୱାହୱାଇ)ଙ୍କ ସ୍ୱାମୀ ତଥା ଫିଲ୍ମ ନିର୍ଦ୍ଦେଶକ ବୋନୀ କପୁର ଓକିଲ ନୋଟିସ୍‌ ପଠାଇଛନ୍ତି ଫିଲ୍ମ ‘ଶ୍ରୀଦେବୀ ବଙ୍ଗଲୋ’ର ନିର୍ଦ୍ଦେଶକ ପ୍ରଶାନ୍ତ ମମ୍ବୁଲୀଙ୍କ ପାଖକୁ । ନିର୍ଦ୍ଦେଶକ ନିଜେ ଏହି ସୂଚନା ଗଣମାଧ୍ୟମଙ୍କୁ ଜଣାଇବା ସହ ବୋନୀ କପୁରଙ୍କୁ ମଧ୍ୟ ସଫା ସଫା କହିଦେଇଛନ୍ତି ଯେ, ଶ୍ରୀଦେବୀ ଏକ କମନ୍‌ ନାଁ, ଆଉ ଏହି ଫିଲ୍ମଟି ବିଲ୍‌କୁଲ୍‌ବି ଶ୍ରୀଦେବୀଙ୍କ ଉପରେ ନିର୍ମାଣ କରାଯାଇନାହିଁ । ଏ ସମାନ କଥା ଫିଲ୍ମରେ ଲିଡ୍‌ ରୋଲ୍‌ କରୁଥିବା ପ୍ରିୟା ମଧ୍ୟ କହିଛନ୍ତି । ‘ଶ୍ରୀଦେବୀ ବଙ୍ଗଲୋ’କୁ ନେଇ ଉପୁଜିଥିବା ବିବାଦ କେଉଁଆଡକୁ ଗତି କରୁଛି ତାହା ଆଗାମୀ ଦିନରେ ଜଣାପଡିବ ।