ବିବାଦୀୟ ବୟାନ ଲାଗି ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ

ଭୁବନେଶ୍ବର,୨/୮: ଅବଶେଷରେ ଆଜି ନିଜର ବିବାଦୀୟ ବୟାନ ଲାଗି ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ଗତକାଲି ବିଧାନସଭାରେ ମୁସଲିମ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି ବିଷ୍ଣୁ । ସେ କହିଛନ୍ତି ଯେ କୌଣସି ଧର୍ମୀୟ ଭାବନାକୁ ଆଘାତ କରିବା ତାଙ୍କର ଉଦେଶ୍ୟ ନ ଥିଲା ।ନିଜ ବିବୃତିକୁ ନେଇ ଦୁଃଖ ପ୍ରକାଶ କରିବାପରେ ଆଉ ବିବୃତିକୁ ବିଧାନସଭା ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ବିଷ୍ଣୁ ।

ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ଆଗକୁ ଏସମ୍ପର୍କରେ କୌଣସି ଖବର ପ୍ରସାର ନକରିବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ତେବେ ଏହି ପ୍ରସଙ୍ଗକୁ ନେଇ ଗୃହ ଆରମ୍ଭରୁ ହଟ୍ଟଗୋଳ ହୋଇଥଲା । ଗୃହ ମୁଲତବୀ ବେଳେ ବି ବିଷ୍ଣୁଙ୍କ ସ୍ୱର ବଦଳିନଥିଲା । ଗତକାଲି ଭଳି ଆଜି ବି ପୂର୍ବଭଳି ସେହି ପୁରୁଣା କଥା ଦୋହରାଇଥିଲେ ବିଷ୍ଣୁ । ଏପରିକି ମୁଁ କ’ଣ ମଣିଷ ମାରିଛି କି ପଶ୍ଚତାପ କରିବି ବୋଲି ଯୁକ୍ତି ବାଢ଼ିଥିଲେ ବିଷ୍ଣୁ ।