ବିଭିନ୍ନ ସ୍ଥାନରେ ଦୁର୍ଘଟଣା: ବାପା-ପୁଅ ସହ ୩ ମୃତ

ଭୁବନେଶ୍ୱର,୧/୧୨ : ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ରାଉରକେଲାରେ ବାପା-ପୁଅ ଓ ଖୋର୍ଦ୍ଧାରେ ଜଣେ ପ୍ରାଣ ହରାଇଛନ୍ତି ।
ରାଉରକେଲା ବଣାଇର ୧୪୩ ନମ୍ବର ଜାତୀୟ ରାଜପଥ ନିକଟରେ ଦୁଇଟି ଟ୍ରକ ପରସ୍ପର ସହିତ ଧକ୍କା ହୋଇଛି । ଫଳରେ ବାପା ଓ ପୁଅର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବାପା ମୁନା ସେଠୀ ଓ ପୁଅ ଶମ୍ଭୁ ସେଠୀ । ବାପା ପୁଅ ବାଲିଘାଟ ନିକଟରେ ରାସ୍ତା କଡରେ ଟ୍ରକ ରଖି ରାସ୍ତା ପାରି ହେଉଥିବାବେଳେ ପଛରୁ ଅନ୍ୟ ଏକ ଟ୍ରକ ଧକ୍କା ଦେଇଥିଲା । ସେମାନେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ।

ସେହିପରି ଖୋର୍ଦ୍ଧା ଟାଙ୍ଗୀ କୁରାଢମଲ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକକୁ ଟ୍ରକ ଧକ୍କା ଦେବା ଦ୍ୱାରା ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ନିରାକାରପୁରର ରାକେଶ ନାଏକ । ଗୁରୁତରମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।