ନୂଆଦିଲ୍ଲୀ,୧୬/୫: ଆସନ୍ତା ୩୦ ତାରିଖରୁ ହେବାକୁଥିବା ବିଶ୍ୱକପରେ ଭାରତକୁ ଅନ୍ୟତମ ଟାଇଟଲ୍ ଫେଭରିଟ୍ କୁହାଯାଉଛି। ‘ମେନ୍ ଇନ୍ ବ୍ଲୁ’ର ଶୀର୍ଷ ତିନି ବ୍ୟାଟ୍ସମ୍ୟାନ୍ ବିଶ୍ୱର କୌଣସି ବୋଲିଂ ଆକ୍ରମଣକୁ ସାମ୍ନା କରିବାର ସାମର୍ଥ୍ୟ ରଖିଛନ୍ତି।
ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଖେଳାଯାଇଥିବା ଗତ ବିଶ୍ୱକପ୍ ପରେ ଭାରତ ଯେଉଁ ୮୬ ଦିନିକିଆ ମ୍ୟାଚ୍ ଖେଳି, ସେଥିରୁ ଶୀର୍ଷ ତିନିକ୍ରମର ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଶିଖର ଧୱନ୍ ଓ ବିରାଟ୍ କୋହଲି ପ୍ରମୁଖ ଭୂମିକା ତୁଲାଇଛନ୍ତି। ତେଣୁ ଏଥର ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପରେ ଏହି ତ୍ରିମୂର୍ତ୍ତି (ରୋହିତ୍, ଧୱନ୍ ଓ ବିରାଟ୍)ଙ୍କ ଉପରେ ଅଧିକ ଦାୟିତ୍ୱ ରହିବ।
ଗତ ଚାରିବର୍ଷରେ ମଧ୍ୟକ୍ରମ ତୁଳନାରେ ଭାରତର ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ୬୦୩୦ ରନ୍ ଅଧିକ କରିଛନ୍ତି। ଏହା ମଧ୍ୟରେ ଶୀର୍ଷକ୍ରମର ୪୫ ଶତକ ତୁଳନାରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ମାତ୍ର ୬ ଶତକ ମାରିଛନ୍ତି। କେବଳ ଏତିକି ନୁହେଁ, ଏହି ତିନି ବ୍ୟାଟ୍ସମ୍ୟାନ୍ ମଧ୍ୟକ୍ରମର ୩୫ ଅର୍ଦ୍ଧଶତକ ତୁଳନାରେ ଦ୍ୱିଗୁଣା (୬୭ ଅର୍ଦ୍ଧଶତକ) ମାରିଛନ୍ତି। ତେଣୁ ଏଥିରୁ ଜଣାପଡୁଛି ଯେ, ୩୦ରୁ ଆରମ୍ଭ ହେବାକୁଥିବା ମହାକୁମ୍ଭରେ ଶୀର୍ଷକ୍ରମର ସଫଳତା ଭାରତ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ।
